ଅନୁଗୁଳ: ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଅନୁଗୁଳ ଜିଲ୍ଲା ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ଡାକ୍ତରଖାନା। ଜାତୀୟ ମେଡିକାଲ କମିସନ (ଏନ୍ଏମସି)ର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସୋମବାର କଲେଜ ଓ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ସେମାନେ ଭିତ୍ତିଭୂମି ପରଖିବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଏହି ଟିମର ରିପୋର୍ଟ ଉପରେ ମେଡିକାଲ କଲେଜର ଭାଗ୍ୟ ନିର୍ଭର କରୁଥିଲା ବେଳେ ସେମାନେ ଏଠାକାର ବ୍ୟବସ୍ଥା ଦେଖି ସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି।
ତାଳଚେରରେ ନବ ନିର୍ମିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ଡାକ୍ତରଖାନାକୁ ଚଳିତ ବର୍ଷରୁ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ବର୍ଷ ୧୦୦ ଏମବିବିଏସ୍ ଆସନରେ ଏଠାରେ ପାଠପଢ଼ା ହେବ। ଏଥିପାଇଁ ଜାତୀୟ ମେଡିକାଲ କମିସନ୍ ଅନୁମତି ଲୋଡ଼ା ଯାଇଥିଲା। ଅନୁମତି ଦେବା ପୂର୍ବରୁ କମିସନଙ୍କ ଏକ ୩ ଜଣିଆ ଟିମ୍ ଏଠାରେ ଭିତ୍ତିଭୂମି ଯାଞ୍ଚ କରିଛନ୍ତି। ସେମାନେ ପ୍ରଥମେ ତାଳଚେରରେ ନିର୍ମାଣ କରାଯାଇଥିବା ମେଡିକାଲ କଲେଜ କୋଠା ପରିଦର୍ଶନ କରିବାକୁ ଯାଇଥିଲେ। ଏଠାରେ ପାଠପଢ଼ା ପାଇଁ ଆବଶ୍ୟକ ସୁବିଧା ସୁଯୋଗ ରହିଛି କି ନାହିଁ ଦେଖିଥିଲେ। ସେହିପରି ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ, ପାଠାଗାର, କ୍ୟାଣ୍ଟିନ ଓ ଅନ୍ୟ ଆନୁଷଙ୍ଗିକ ସୁବିଧା ସଂପର୍କରେ ପଚାରି ବୁଝିଥିଲେ। ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଏହି ଡାକ୍ତରଖାନାକୁ ମେଡିକାଲ କଲେଜର ଟିଚିଂ ହସ୍ପିଟାଲ୍ ଭାବେ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଥିଲା ବେଳେ ଏଠାରେ କ’ଣ ବ୍ୟବସ୍ଥା ରହିଛି ତା’ର ତଦାରଖ କରିଥିଲେ।
ଏହା ସହ ତାଳଚେର ଗୋଡ଼ିବନ୍ଧ ଡାକ୍ତରଖାନାକୁ ଯାଇ ସ୍ଥିତି ପରଖିଥିଲେ ଏନ୍ଏମସି ଟିମ୍। ଜାତୀୟ ମେଡିକାଲ କମିସନ ଟିମର ଏହି ଗସ୍ତ ସମୟରେ ସେମାନେ ମେଡିକାଲ କଲେଜର ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏଠାକାର ସୁବିଧା ସୁଯୋଗ ସଂପର୍କରେ ସେମାନେ ଟିମକୁ ଅବଗତ କରାଇଥିଲେ। ଏହାସହ ମେଡିକାଲ କଲେଜ ଓ ଡାକ୍ତରଖାନାର ବିଭିନ୍ନ କାଗଜପତ୍ର ମଗାଇ ଦେଇଥିଲେ। ରୋଗୀଙ୍କୁ କେମିତି ଚିକିତ୍ସା ସୁବିଧା ମିଳୁଛି ତା’ ରେକର୍ଡ ବି ଦେଖିଥିଲେ।
ଏନ୍ଏମସି ଟିମ୍ ଗସ୍ତ ପରେ ମେଡିକାଲ କଲେଜ ଡିନ୍ କହିଛନ୍ତି, ୩ ଜଣିଆ ଟିମ୍ ପରିଦର୍ଶନ କରି ଫେରିଛନ୍ତି। ସେମାନେ ବିଭିନ୍ନ ବିଭାଗ ଦେଖିବା ସହ ପାଠପଢ଼ା ନେଇ ଭିତ୍ତିଭୂମି ଅଛି କି ନାହିଁ ଯାଞ୍ଚ କରିଥିଲେ। ଏଠାକାର ବ୍ୟବସ୍ଥା ଦେଖି ସେମାନେ ସନ୍ତୋଷ ପ୍ରକାଶ କରିଥିବାରୁ ମେଡିକାଲ କଲେଜ ପାଇଁ ଅନୁମତି ଦେବେ ବୋଲି ଆଶାବାଦୀ ଅଛୁ ବୋଲି ଡିନ୍ କହିଛନ୍ତି।
ସେହିପରି ଅନୁଗୁଳ ସିଡିଏମ୍ଓ ଡା. ଗୌରୀଶଙ୍କର ବଳ କହିଛନ୍ତି, ଏନ୍ଏମସି ଟିମ୍ ଭିତ୍ତିଭୂମି ଓ ପରିଚ୍ଛନ୍ନତା ଦେଖି ସନ୍ତୋଷ ପ୍ରକାଶ କରିଛନ୍ତି। ଆଉ କ’ଣ ଅଭାବ ଥିଲେ, ସେମାନେ ଜଣାଇବେ। କିନ୍ତୁ ସେମାନେ କିଛି କହିନାହାନ୍ତି। ତେଣୁ କଲେଜରେ ଚଳିତବର୍ଷରୁ ପାଠପଢ଼ା ପାଇଁ ଅନୁମତି ମିଳିପାରେ ବୋଲି ସିଡିଏମ୍ଓ କହିଛନ୍ତି।