ଆଜି ପଖାଳ ଦିବସ: ଡହ ଡହ ଖରାରେ ଉଭୟ ପେଟ ଓ ମନକୁ ଥଣ୍ଡା କରିଦିଏ ଓଡ଼ିଆ ପାରମ୍ପରିକ ଖାଦ୍ୟ ‘ପଖାଳ’

You are currently viewing ଆଜି ପଖାଳ ଦିବସ: ଡହ ଡହ ଖରାରେ ଉଭୟ ପେଟ ଓ ମନକୁ ଥଣ୍ଡା କରିଦିଏ ଓଡ଼ିଆ ପାରମ୍ପରିକ ଖାଦ୍ୟ ‘ପଖାଳ’

ସବୁ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଡହ ଡହ ଖରାରେ ଉଭୟ ପେଟ ଓ ମନକୁ ଥଣ୍ଡା କରିଦିଏ ପଖାଳ। ଆଉ ସାଙ୍ଗରେ ବଡ଼ି ଚୁରା କି ଶୁଖୁଆ ପୋଡ଼ା ଟିକେ ଥିଲେ ଆଃ ଖାଇବାର ମଜା ଦ୍ଵିଗୁଣ ହୋଇଯାଏ। ପିଲାଠୁ ବଡ଼, ଧନୀଠୁ ଗରିବ ସମସ୍ତଙ୍କ ପସନ୍ଦର ଖାଦ୍ୟ ହେଉଛି ପଖାଳ। ପାରମ୍ପରିକ ଓଡ଼ିଆ ଖାଦ୍ୟ ଏହି ପଖାଳକୁ ଅଧିକ ଲୋକ ଲୋଚନରେ ଆଦୃତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୦ ରେ ପାଳିତ ହୁଏ ପଖାଳ ଦିବସ।

ଆଜି ପଖାଳ ଦିବସରେ ପଲ୍ଲୀଠୁ ସହର ଯାଏଁ ସମସ୍ତେ ପଖାଳର ମଜା ନେଉଥିବା ଦେଖିବାକୁ ମିଳିଛି। କିଏ ପଖାଳ ସହ ଆଳୁ ଭରତା, ଛତୁ ଭଜା, ବାଇଗଣ ପୋଡ଼ା, ଆମ୍ବ ଚଟଣି ଖାଉଛି ତ ପୁଣି କିଏ ଆମିଷରେ ମାଛ ଭଜା, ଚିଙ୍ଗୁଡ଼ି ଚଟଣି, ଅଣ୍ଡା ଆମଲେଟ୍ ଖାଇ ପଖାଳ ଦିବସ ପାଳୁଛି।

ପଖାଳର ଚାହିଦାକୁ ଦୃଷ୍ଟିରେ ରଖି ଆଜିର ଦିନରେ ଅନୁଗୁଳ ସହରରେ ଛୋଟ ବଡ଼ ହୋଟେଲ ଓ ରେସ୍ତୋରାଁରେ ବି ମେନ୍ୟୁରେ ପଖାଳ ରଖୁଥିବା ଦେଖା ଯାଇଛି। ଏଥିରେ ଭଳିକି ଭଳି ପଖାଳ ରହୁଛି। ଯଥା- ଅରୁଆ ପଖାଳ, ଉଷୁନା ପଖାଳ, ଦହି ପଖାଳ, ଆମ୍ବ କଷିଆ ଅଦା ଛୁଙ୍କ ଦିଆ ପଖାଳ ଇତ୍ୟାଦି। ପଖାଳ ସହ ଲଗେଇ ଖାଇବାକୁ ବି ବିଭିନ୍ନ ଆଇଟମ୍ ରହିଛି। କିଛି ହୋଟେଲରେ ପଖାଳ ସହ ଚିକେନ୍ କଷା, ମଟନ କଷା, ମାଛ ମଞ୍ଜି ଭଜା ଆଦି ମଧ୍ୟ ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ପରଷି ଦିଆଯାଉଛି। ଏହାର ଦାମ୍ ବି ପକେଟକୁ ସୁହାଇବା ଭଳି ଥିବାରୁ ଲୋକେ ମନ ତୃପ୍ତ କରି ଖାଉଥିବା ଦେଖାଯାଇଛି।

Share

Leave a Reply