ନିଆରା ବ୍ୟକ୍ତିତ୍ୱ: ବୟସ ୮୦ ଟପିଲାଣି, କିନ୍ତୁ ସବୁ ଦିନ ସାଇକେଲ ଚଲାଇ ୧୬ କିଲୋମିଟର ଯାଆନ୍ତି ଅନୁଗୁଳର ଧୋବଣୀ ଅପା

You are currently viewing ନିଆରା ବ୍ୟକ୍ତିତ୍ୱ: ବୟସ ୮୦ ଟପିଲାଣି, କିନ୍ତୁ ସବୁ ଦିନ ସାଇକେଲ ଚଲାଇ ୧୬ କିଲୋମିଟର ଯାଆନ୍ତି ଅନୁଗୁଳର ଧୋବଣୀ ଅପା

ଅନୁଗୁଳ: ବୟସ ୮୦ ଟପିଲାଣି କିନ୍ତୁ ଏବେ ବି ସେ ପୂରା ଫିଟ୍। ଯେଉଁ ସମୟରେ ଘରେ ମହିଳା ମାନେ ଚାରି କାନ୍ଥ ଭିତରେ ରହି ରୋଷେଇ କାମ କରନ୍ତି, ସେହି ସମୟରେ ଏ ମହିଳା ଜଣଙ୍କ କିନ୍ତୁ ଘରୁ ବାହାରି ସାଇକେଲ ଚଳାଇ ବାରି ବଗିଚା କାମ ଦେଖିବାକୁ ଯାଆନ୍ତି। ସେଭଳି ଜଣେ ନିଆରା ମହିଳା ହେଉଛନ୍ତି ଅନୁଗୁଳ ଛେଣ୍ଡିପଦା ଅଞ୍ଚଳର ପ୍ରମିଳା ସାହୁ। ଏଠାକାର ଲୋକଙ୍କ ପାଖରେ ସେ ଧୋବଣୀ ଅପା ଭାବେ ଜଣାଶୁଣା।

ଧୋବଣୀ ଅପା ପ୍ରତିଦିନ ଛତା ଓ ପାଣି ବୋତଲ ଧରି ୧୬ କିଲୋମିଟର ସାଇକେଲ ଚଲାଇ ନିଜ ବଗିଚାକୁ ଯାଆନ୍ତି। ସେଠାରେ କାମ ତଦାରଖ କରନ୍ତି। ଅନ୍ୟ ସମୟରେ ସେ ଲୋକଙ୍କ ସୁଖ ଦୁଃଖ ବୁଝନ୍ତି। ତାଙ୍କୁ ଦେଖିଲେ ଲାଗେ ଯେମିତି ତାଙ୍କ ଚଳଚଞ୍ଚଳ ଜୀବନ ଆଗରେ ବୟସ ବି ହାର ମାନିଛି।
ପ୍ରମିଳାଙ୍କ କହିବାନୁଯାୟୀ, ତାଙ୍କୁ ଯେତେବେଳେ ୭ ବର୍ଷ ହୋଇଥିଲା ତାଙ୍କ ଗାଁରେ ସେତେଟା ସାଇକେଲ ନଥିଲା। ସେତେବେଳେ ତାଙ୍କ ବାପାଙ୍କର ଏକ ସାଇକେଲ ଥିଲା। ସେ କେହି ନ ଥିବା ବେଳେ ସାଇକେଲ ଚଲାଇ ଚଳାଇ ଶିଖିଯାଇଥିଲେ। ଏଥିପାଇଁ ଗାଁ ଲୋକଙ୍କ ଠାରୁ ବି ତାଙ୍କୁ ଅନେକ କଥା ଶୁଣିବାକୁ ପଡ଼ିଥିଲା। କିନ୍ତୁ ତାଙ୍କ ବାପା ଜଣେ ସ୍ୱାଧୀନତା ସଂଗ୍ରାମୀ ହୋଇଥିବାରୁ ଏହାକୁ ଖାତିର ନକରି ଝିଅକୁ ପ୍ରେରଣା ଯୋଗାଇ ଥିଲେ। ସେବେ ଠୁ ସେ ସାଇକେଲ ଚଲାଉଛନ୍ତି।

ସବୁଠୁ ବଡ଼ କଥା ହେଲା ୮୦ ଟପିଥିଲେ ବି ପ୍ରମିଳାଙ୍କୁ ଏବେ ଯାଏଁ କୌଣସି ଔଷଧର ଆବଶ୍ୟକତା ପଡ଼ିନାହିଁ। ସେ ରାଜନୀତିରେ ମଧ୍ୟ ଜଣେ ଦକ୍ଷ ନେତ୍ରୀ। ୨୦ ବର୍ଷ ପୂର୍ବରୁ ସେ ଶିମିଳିପାଳ ପଞ୍ଚାୟତରେ ସରପଞ୍ଚ ରହି ଲୋକଙ୍କ ସେବା କରୁଥିଲେ। ଏବେ ପଦରେ ନ ଥିଲେ ବି ସେବା ଛାଡ଼ିନାହାନ୍ତି ପ୍ରମିଳା ଅପା। ମନୋବଳ ଦୃଢ଼ କଲେ ଜଣେ ଆଗକୁ ବଢ଼ି ପାରିବ ବୋଲି କହିଛନ୍ତି ଧୋବଣୀ ଅପା।

Share

Leave a Reply