ଅନୁଗୁଳ: ପରକୀୟା ପ୍ରୀତିରୁ ପିଟାଖାଇଲେ ଯୁବକ। ରାତି ଅଧରେ ପର ମହିଳାଙ୍କ ଘରେ ପଶି ହେଲେ ଅପଦସ୍ତ। ପ୍ରେମିକକୁ ପଡ଼ିଶା ଘର ଲୋକ ବାନ୍ଧିବା ସହ ଭିଡିଓ କରି ଗଣମାଧ୍ୟମରେ ଭାଇରାଲ କରିଛନ୍ତି। ଏନେଇ ଉଭୟ ପକ୍ଷରୁ ଖମାର ଥାନାରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି।
ସୂଚନା ମୁତାବକ, ଗୁରୁବାର ରାତିରେ ପାଳଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ରଜଡଙ୍ଗ ଗ୍ରାମର ସତ୍ୟାନନ୍ଦ ପୋଇ ନାମକ ଯୁବକ, ଇଂଜିଡି ପଞ୍ଚାୟତ ଅଧୀନ ମାନ୍ଧାତା ଗ୍ରାମର ଜଣେ ମହିଳାଙ୍କ ଘରକୁ ରାତିରେ ଯାଇଥିଲେ। ଏହି ସମୟରେ ଗାଁର ଖଗେଶ୍ୱର ବେହେରା, ତାଙ୍କ ଭାଇ ଝସକେତନ ଓ ସୁନୀଲ ଦେହୁରୀ ଏକାଠି ହୋଇ ସତ୍ୟାନନ୍ଦକୁ ଏକ ଦଉଡ଼ିରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଆଉ ଭିଡିଓ କରି ସୋସିଆଲ ମିଡିଆରେ ବି ଛାଡ଼ିଥିଲେ। ଘଟଣା ଭାଇରାଲ ହେବା ପରେ ଉଭୟ ପକ୍ଷରୁ ଖମାର ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ଚାରି ଜଣଙ୍କୁ ଥାନାକୁ ଆଣି ଧାରା ୪୧ ରେ ଛାଡି ଦେଇଥିବା ଜଣାପଡ଼ିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାରେ ରହିଛି।