ଅନୁଗୁଳ: ଶନିବାର ସକାଳେ ଅନୁଗୁଳ ବ୍ଲକ୍ ଟିକରପଡ଼ା ନିକଟସ୍ଥ ମହାନଦୀର ସାତକୋଶିଆ ଗଣ୍ଡରୁ ଏକ ବିଶାଳ ମଗରର ମୃତଦେହ ଉଦ୍ଧାର କରାଯାଇଛି l ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଟିକରପଡ଼ା ବନାଞ୍ଚଳ କର୍ମଚାରୀ ବୋଟ୍ ଯୋଗେ ମହାନଦୀ ଗର୍ଭରୁ ମଲାକୁମ୍ଭୀର କୂଳକୁ ଆଣିଥିଲେ l ମୃତ ମଗରର ବୟସ ୨୫ ବର୍ଷ ହେବ ବୋଲି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ରାମାସ୍ଵାମୀ ପି. ପ୍ରକାଶ କରିଛନ୍ତି l ମହାନଦୀର ଉପର ମୁଣ୍ଡରୁ ବିନିକେୟୀ ପଟୁ ମୃତ କୁମ୍ଭୀର ଭାସିଆସିଥିଲା। ୪୮ ରୁ ୭୨ ଘଣ୍ଟା ପୂର୍ବରୁ ତାର ମୃତ୍ୟୁ ହୋଇଥିବା ଜଣାପଡିଛି। ଶରୀର ସାରା କ୍ଷତଚିହ୍ନ। ମହାନଦୀରେ ମାଛ ମାରିବାକୁ ଡିନାମାଇଟ ବିସ୍ଫୋରଣ ଯୋଗୁଁ କୁମ୍ଭୀରଟି ମୃତ୍ୟୁ ମୁଖରେ ପଡ଼ିଥିବା ବନଖଣ୍ଡ ଅଧିକାରୀ ଶ୍ରୀ ରାମାସ୍ଵାମୀ ଆଶଙ୍କା ପ୍ରକଟ କରିଛନ୍ତି l ଏଣିକି ମହାନଦୀରେ ପାଟ୍ରୋଲିଂ ଜୋରଦାର୍ କରାଯିବ ବୋଲି ସେ ସୂଚନା ଦେଇଛନ୍ତି l ବନବିଭାଗ ପକ୍ଷରୁ କୁମ୍ଭୀରର ଶବ ବ୍ୟବଚ୍ଛେଦ କରାଯାଇଛି l ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ତେବେ ସାତକୋଶିଆରେ ବିଶାଳକାୟ ମଗର କୁମ୍ଭୀରର ଏଭଳି ମୃତ୍ୟୁ ପରିବେଶପ୍ରେମୀ ମହଲରେ ଉଦବେଗ ସୃଷ୍ଟି କରିଛି।
ଡିନାମାଇଟ ବିସ୍ଫୋରଣରେ ମଗରର ମୃତ୍ୟୁ
- Post published:November 22, 2020
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
