ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଆଇସିଆଇସିଆଇ ବ୍ୟାଙ୍କ ଶାଖାରୁ ୧ କୋଟି ୮୫ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ୍ କରିବା ଅଭିଯୋଗରେ ପୋଲିସ ଶନିବାର ଡେପୁଟୀ ବ୍ରାଞ୍ଚ ମ୍ୟାନେଜର(ଡିବିଏମ୍)ଙ୍କୁ ଗିରଫ କରିଛି। ସୂଚନା ମୁତାବକ, ବ୍ୟାଙ୍କ ଶାଖାର ଅଡିଟର ସ୍ବପ୍ନା ପାଣିଗ୍ରାହୀ ୨୧ ତାରିଖରେ ବ୍ୟାଙ୍କର ଅଡିଟ କରୁଥିବା ବେଳେ ଜାଣିବାକୁ ପାଇଲେ ଯେ, ଶାଖାର ଭଲ୍ଟରେ ୧ କୋଟ ୮୫ ଲକ୍ଷ ୫୦ ହଜାର ଟଙ୍କା ଉଭାନ୍ ହୋଇଯାଇଛି। ଏ ନେଇ ସ୍ବପ୍ନା ସଙ୍ଗେସଙ୍ଗେ ରିଜିଓନାଲ ମ୍ୟାନେଜର ଅତୁଲ୍ୟ ପାଟଯୋଷୀଙ୍କୁ ଜଣାଇଥିଲେ। ରିଜିଓନାଲ ମ୍ୟାନେଜର ଶ୍ରୀ ପାଟଯୋଶୀ ବ୍ରାଞ୍ଚରେ ପହଞ୍ଚି ଘଟଣାର ତଦନ୍ତକରି ଜାଣିବାକୁ ପାଇଲେ ଯେ, ବ୍ରାଞ୍ଚର ଡେପୁଟୀ ବ୍ରାଞ୍ଚ ମ୍ୟାନେଜର ଢ଼େଙ୍କାନାଳ ଜିଲ୍ଲା ଭୂବନ ଥାନା ଅନ୍ତର୍ଗତ କୁମୁରୁସିଂହା ଗାଁର ଆକାଶ ଭାରତୀ ଓ କ୍ୟାସିୟର ସୁବାଷ ରାଉତରାୟ ମିଶି ଜୀବନ ବୀମା ପାଇଁ ଗ୍ରାହକ ମାନଙ୍କଠାରୁ ଆଦାୟ ହେଉଥିବା ଟଙ୍କାକୁ ବ୍ୟାଙ୍କରେ ଜମାନକରି ଆତ୍ମସାତ୍ କରିଥିଲେ। ଏହା ୪ ମାସ ପୂର୍ବରୁ ଚାଲିଥିଲା। ଏହାପରେ କ୍ୟାସିୟର ଚାକିରୀଛାଡ଼ି ପଳାଇଥିଲେ।
ବ୍ୟାଙ୍କର ୧ କୋଟି ୮୫ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ୍ କରିଥିବା ନେଇ ଶ୍ରୀ ପାଟଯୋଶୀ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ଡିବିଏମ୍ ଆକାଶ ଭାରତୀଙ୍କୁ ଗିରଫକରି ପଚରା ଉଚୁରା କରିଛି। ସେ ଓ ତାଙ୍କ ସହଯୋଗୀ କ୍ୟାସିୟର ସୁବାଷ ଟଙ୍କାକୁ ଆତ୍ମସାତକରି ଛେଣ୍ଡିପଦା ଅଞ୍ଚଳରେ କିଛି ମାଫିଆ ଓ ଜଣାଶୁଣା ବନ୍ଧୁଙ୍କୁ ଦେଇଥିବା ସ୍ବୀକାର କରିଛନ୍ତି। ପୋଲିସ ଅଭିଯୁକ୍ତ ଡିବିଏମ୍ ଆକାଶଙ୍କୁ ଶନିବାର କୋର୍ଟ ଚାଲାଣ କରିଛି।