ଅନୁଗୁଳ : ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଦୀର୍ଘ ଦିନ ହେଲା ଅବକାରୀ ବିଭାଗର ଟାର୍ଗେଟରେ ଥିବା ବ୍ରାଉନସୁଗାର ବେପାରୀ ଅନିଲ ସାହୁ ଧରାପଡ଼ିଛି। ତା ନିକଟରୁ ୧୨୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି।
ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା କାଣ୍ଡସର ଅନ୍ତର୍ଗତ କନ୍ୟାବେଡା ଗାଁର ଅନିଲ ସାହୁ(୩୦) ଅନେକ ଦିନ ହେଲା ବ୍ରାଉନସୁଗାର ବେପାର କରି ଆସୁଥିଲା। ତା ଉପରେ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନଜର ରଖା ଯାଇଥିଲା। ଆଜି ଅନିଲ ବ୍ରାଉନସୁଗାର ବିକ୍ରି କରିବାକୁ ଯାଉଥିବା ଖବର ପାଇ ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକ ତାକୁ ଧରିବାକୁ ଜାଲ ବିଛାଇଥିଲେ। ଅନିଲ ଏକ ଅଟୋରେ ଯାଉଥିବା ବେଳେ କୁକୁଡାଙ୍ଗ ନିକଟରେ ଅବକାରୀ ବିଭାଗ ତାକୁ କାବୁ କରି ନେଇଥିଲା। ଯାଞ୍ଚ ବେଳେ ତା’ ନିକଟରୁ ୧୨୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ପୋଲିସ ତାକୁ ଗିରଫ କରି ଅଧକ ତଦନ୍ତ ଜାରି ରଖିଛି।