ଅନୁଗୁଳ: ସରକାରଙ୍କ ‘ଶ୍ରୀ ଜଗନ୍ନାଥ ଦର୍ଶନ’ ଯୋଜନାରେ ଅନୁଗୁଳ ଜିଲ୍ଲାର ୧୩୧ ଜଣ ବରିଷ୍ଠ ନାଗରିକ ଆଜି ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ସ୍ଥାନୀୟ ସଭାଘର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିଥିମାନେ ପତାକା ଦେଖାଇ ଏହି ତୀର୍ଥଯାତ୍ରାର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ପାଳଲହଡା ବିଧାୟକ ଅଶୋକ ମହାନ୍ତି ଯୋଗଦେଇ ସରକାରଙ୍କ ଏହି ଅଭିନବ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ସେହିପରି ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା କହିଥିଲେ, ମହାପ୍ରଭୁଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହୁ।
ବରିଷ୍ଠ ନାଗରିକମାନଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମୋଟ ୪ଟି ସ୍ୱତନ୍ତ୍ର ବସ୍ରେ ଯାତ୍ରୀମାନେ ପୁରୀ ଯାଇଛନ୍ତି। ପ୍ରତି ବସ୍ରେ ଜଣେ ଲେଖାଏଁ ଏସକର୍ଟ ଅଫିସର, ପାରା ମେଡିକାଲ ଷ୍ଟାଫ୍ ଏବଂ ଓଡିଶା ରାଜ୍ୟ ସଡକ ପରିବହନ ନିଗମର (OSRTC) କର୍ମଚାରୀମାନେ ସାଥିରେ ଯାଇଛନ୍ତି।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁଦୀପ ଗଡ଼ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଜିତ ଧଳ ଏବଂ ଜିଲ୍ଲା ଆପାତକାଳୀନ ଅଧିକାରୀ ଶୁଭେନ୍ଦୁ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।


