ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଆଲୁମିନିୟମ ପାର୍କ ଅଞ୍ଚଳରୁ ବ୍ରାଉନସୁଗାର ବିକ୍ରି ପାଇଁ ଗରାଖ ଅପେକ୍ଷାରେ ଥିବା ବେଳେ ପୁଲିସ ଆଜି ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ହେଲେ ଅନୁଗୁଳ ହେମସୁରପଡ଼ାର ରାଜା ବେହେରା ଓ ମଣ୍ଟୁ ଗୋଛୟତ।
ସୂଚନା ଅନୁସାରେ, ଗତକାଲି ନାଲକୋ ଆଲୁମିନିୟମ ପାର୍କ ଅଂଚଳରେ ବ୍ରାଉନସୁଗାର ବିକ୍ରି ହେଉଥିବା ଖବର ପାଇ ନାଲକୋନଗର ଥାନାର ଏସ.ଆଇ. ଅର୍ଚ୍ଚନା ନାୟକଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଆଲୁମିନିୟମ ପାର୍କର ବସ ଷ୍ଟାଣ୍ଡ ନିକଟରେ ଦୁଇ ଯୁବକଙ୍କୁ ଯାଞ୍ଚ କରିଥିଲା ପୋଲିସ। ସେମାନଙ୍କ ନିକଟରୁ ୧୫.୨୪୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା ହେବ। ଉଭୟ ବାଲେଶ୍ଵର ଜିଲ୍ଲାରୁ ବ୍ରାଉନସୁଗାର ଆଣି ଅନୁଗୁଳ, ନାଲକୋନଗର ଆଦି ଅଞ୍ଚଳରେ ବିକ୍ରି କରୁଥିବା ପୁଲିସ ନିକଟରେ ସ୍ୱୀକାର କରିଛନ୍ତି।