ଅନୁଗୁଳ: ଅନୁଗୁଳ ପୋକସୋ କୋର୍ଟର ଅତିରିକ୍ତ ଦୌରା ଜଜ ତଥା ସ୍ୱତନ୍ତ୍ର ଜଜ୍ ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ସୂଚନା ମୁତାବକ, ଗତ ୨୫. ୦୧. ୨୦୨୧ ଦିନ କଣିହାଁ ଥାନା ଅନ୍ତର୍ଗତ କୁମୁଣ୍ଡା ଗ୍ରାମର ରିଙ୍କୁ ଓରଫ ସୁରେନ୍ଦ୍ର ସେଠୀ (୨୫) ଠାକୁରଗଡ଼ ଅଞ୍ଚଳର ଜଣେ ନାବାଳିକାକୁ ତା’ ଘର ସମ୍ମୁଖରୁ ବାଇକରେ ଉଠାଇ ନେଇ ଏକ ଘଣ୍ଟା ପରେ ପୁଣି ଆଣି ଛାଡ଼ିଦେଇଯାଇଥିଲା। ନାବାଳିକା କାନ୍ଦି କାନ୍ଦି ତାକୁ ରିଙ୍କୁ ଦୁଷ୍କର୍ମ କରିଥିବା କହିଥିଲା।
ଏନେଇ ନାବାଳିକାର ପରିବାର ପକ୍ଷରୁ ଠାକୁରଗଡ଼ ଥାନାରେ ଲିଖିତ ଏତଲା ଦେଇଥିଲେ। ପୋଲିସ 376AB/363/6 ପୋକସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ରିଙ୍କୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଶୁକ୍ରବାର ଅତିରିକ୍ତ ଦୌରା ଜଜ ତଥା ସ୍ୱତନ୍ତ୍ର ଜଜ ପୋକସୋ ମାମଲାର ଶୁଣାଣି କରି ୧୪ଜଣ ସାକ୍ଷୀ ପ୍ରମାଣ ଆଧାରରେ ଅଭିଯୁକ୍ତ ରିଙ୍କୁକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଶୁଣାଣି କରିଛନ୍ତି। ଏଥିସହ ପୀଡ଼ିତାକୁ ୭ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।