ଅନୁଗୁଳରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ: ସକାଳ ୯ଟା ୧୫ରେ ପତାକା ଉତ୍ତୋଳନ

You are currently viewing ଅନୁଗୁଳରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ: ସକାଳ ୯ଟା ୧୫ରେ ପତାକା ଉତ୍ତୋଳନ

ଅନୁଗୁଳ: ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ବୁଧବାର ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଛି। ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପୂର୍ବ ବର୍ଷର ବିବରଣୀ ପାଠ କରିଥିଲେ।

ନିଷ୍ପତ୍ତି ମୁତାବକ, ସ୍ବାଧୀନତା ଦିବସ ସକାଳୁ ଡାକବାଜି ଯନ୍ତ୍ର ଯୋଗେ ରାମଧୁନ ପରିବେଷଣ କରାଯିବ। ପୂର୍ବାହ୍ନ ୬ ଟାରେ ପ୍ରଭାତ ଫେରୀ, ସାଢ଼େ ୭ ଟାରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ୯ଟା ୧୫ରେ ପିଟିସି ପଡ଼ିଆ ଠାରେ ମୁଖ୍ୟ ଅତିଥିଙ୍କ ଦ୍ବାରା ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରାଯିବ। ଏଥିପାଇଁ ସ୍କୁଲସ୍ତରରେ ବିଭିନ୍ନ ପ୍ରତିଯୋଗିତା କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି କୃତି ଛାତ୍ରଛାତ୍ରୀଙ୍କୁ ବି ସମ୍ବର୍ଦ୍ଧିତ କରାଯିବ।

ଅଗଷ୍ଟ ୧୫ ସନ୍ଧ୍ୟାରେ ସ୍ଥାନୀୟ ସଭାଘର ଠାରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ତତ୍ତ୍ବାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଆଜିର ପ୍ରସ୍ତୁତି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ରନାଥ ରାୟଗୁରୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉପାସନା ପାଢ଼ୀ, ଉପଆରକ୍ଷୀ ଅଧୀକ୍ଷକ ବିରଞ୍ଚି ନାରାୟଣ ବାଗଙ୍କ ସମେତ ଅନ୍ୟ ଅଧିକାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

Share

Leave a Reply