କାରଗିଲ ବିଜୟ ଦିବସର ୨୫ ବର୍ଷ ପୂର୍ତ୍ତି: ଅନୁଗୁଳ ଡିଫେନ୍ସ ଭେଟେରାନସ୍‌ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

0

ଅନୁଗୁଳ: ଆଜି କାରଗିଲ ବିଜୟ ଦିବସର ୨୫ ବର୍ଷ ପୂର୍ତ୍ତି ଅବସରରେ ଅନୁଗୁଳରେ ଡିଫେନ୍ସ ଭେଟେରାନସ୍‌ ଏବଂ ସହିଦ ମାନସ ରଞ୍ଜନ ସ୍ମୃତି ପରିଷଦ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ସକାଳବେଳା ସେବାନିବୃତ‌ ସୈନିକ ଏବଂ ସ୍ମୃତି ପରିଷଦର ସଦସ୍ୟ ମାନେ ଏକ ବାଇକ୍‌ ରାଲୀ ରେ ସହିଦ ମାନସଙ୍କ ଗାଁ ପୁରୁଣାଗଡ ଯାଇ ସେଠାରେ ସହିଦ ମାନସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅପରାହ୍ନରେ ସ୍ଥାନୀୟ ସଭାଘର ଠାରେ ‌ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ପୂର୍ବତନ ସେନାଧିକାରି ତଥା ତାଳଚେର ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ସହିଦ ସ୍ମାରକୀରେ ପୁଷ୍ପମାଲ୍ୟ ଦେଇ ସମାରୋହକୁ ଉଦ୍‌ଘାଟନ କରିଥିଲେ।

ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ କରିବା ପରେ କାରଗିଲରେ ସହିଦ ମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ନିଜ ଅଭିଭାଷଣରେ କହିଥିଲେ କି ଭାରତ ହେଉଛି ଶାନ୍ତି ଓ ଅହିଂସାର ଦେଶ। କିନ୍ତୁ ଶତ୍ରୁ ଯେତେବେଳେ ଭାରତର ସୀମା ଲଂଘିଛି ସେତେବେଳେ ଆମର ଯବାନ ମାନେ ନିଜ ଜୀବନକୁ ବାଜି ଲଗାଇ ସେମାନଙ୍କୁ ଦମନ କରିଛନ୍ତି। ସେହିଭଳି ସେବାନିବୃତ ସୈନିକ ମାନଙ୍କୁ ଅବସର ପରେ ମଧ୍ୟ ସମାଜ ପାଇଁ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ସେ ତାଳଚେରରେ ସହିଦ ରାଣା ପ୍ରତାପ ଦାସଙ୍କ ସ୍ମୃତିରେ ଏକ ଛକକୁ ନାମିତ କରାଯିବ ବୋଲି ପ୍ରକାଶ କରିଥିଲେ।

ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍‌ ଡ଼ା ଧରଣୀଧର ନାଥ କାରଗିଲରେ ସହିଦ ହୋଇଥିବା ଯବାନ ମାନଙ୍କ ପ୍ରତି ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏହାର ଅଖଣ୍ଡତା ରକ୍ଷା ପାଇଁ ସେନାର ଭୂମିକା ପ୍ରଶଂସନୀୟ ବୋଲି ପ୍ରକାଶ କରିଥିଲେ। କାରଗିଲ ସହିଦ ବିକ୍ରମ ଵତ୍ରା ଏବଂ ଯୋଗେନ୍ଦ୍ର ସିଂହ ଯାଦବଙ୍କ ଅସୀମ ସାହସ ଓ ବଳିଦାନ ଦେଶର ଯୁବ ପୀଢ଼ିଙ୍କୁ ଯୁଗେ ଯୁଗେ ଆନୁପ୍ରେରିତ କରିବ ‌ବୋଲି ଡ଼ା ନାଥ ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ କମାଣ୍ଡର କିଶୋର ରାଉତ ଦେଶ ସଂହତିରେ ଯବାନଙ୍କ ଭୂମିକା ଉପରେ ଆଲୋକ ପାତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଯୋଗ ଗୁରୁ ଅଭୟ ରାୟ,ଆଇନଜୀବି ଦିଲୀପ ଦାସ,ସହିଦ ସ୍ମୃତି ପରିଷଦ ପକ୍ଷରୁ କର୍ମକର୍ତ୍ତା ପର୍ଶୁରାମ ଦାଶ,ପ୍ରତାପ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ସମାରୋହରେ ଡିଫେନ୍ସ ଭେଟେରାନସ୍‌ ପକ୍ଷରୁ ସଭାପତି ସୁବେଦାର ମେଜର ଅନିଲ କୁମାର ମହାନ୍ତି ନିଜ ବକ୍ତବ୍ୟରେ କାରଗିଲ ଯୁଦ୍ଧର ଇତିବୃତି ଏବଂ ସେବାନିବୃତ୍ତ ସୈନିକ ମାନଙ୍କ ସମସ୍ୟା ଓ ଏହାର ସମାଧାନ ଉପରେ ଗୁରୁତ୍ତ୍ଵ‌ ଦେଇଥିଲେ।

ସମାରୋହରେ ଓଡ଼ିଶୀ ନୃତ୍ୟାଙ୍ଗନା ଆନିଶା ସିହ୍ନା, ପର୍ବତାରୋହି ବିଭାରାଣୀ ପାତ୍ର,ବିଶିଷ୍ଟ ଚାଷୀ ବିଭୁ ପ୍ରସାଦ ପ୍ରଧାନ,କ୍ରୀଡାବିତ୍‌ ନୀଳମଣି ଦାସଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସେହିଭଳି
ସହିଦ ମାନସଙ୍କ ମା’ ବସନ୍ତ ମଞ୍ଜରୀ ସାହୁ,ସହିଦ ଦିବାକର ଗଡ଼ନାୟକଙ୍କ ପତ୍ନୀ ପୂର୍ଣ୍ଣିମା ଗଡ଼ନାୟକ,ସହିଦ ରାଣାପ୍ରତାପ ଦାସଙ୍କ ପିତା ଶ୍ରୀବତ୍ସ ଦାସ ଏବଂ ସହିଦ ରଞ୍ଜନ ମହାନ୍ତିଙ୍କ ପିତା ପ୍ରଫୁଲ୍ଲ ମହାନ୍ତିଙ୍କୁ ମଧ୍ୟ ସମ୍ବର୍ଧିତ କରାଯାଇଥିଲା।ସମାରୋହକୁ କ୍ୟାପଟେନ ବିଜୟ ପତି ସଂଯୋଜନା କରିଥିବା ବେଳେ ଏଡିଭିର ଉପସଭାପତି ରଞ୍ଜିତ ଜେନା,ସାଧାରଣ ସମ୍ପାଦକ ପବିତ୍ର ମୋହନ ବିଶ୍ଵାଳ,ଯୁଗ୍ମ ସମ୍ପାଦକ ନାରାୟଣ ସାହୁ ଏବଂ ଉପଦେଷ୍ଟା କୁଞ୍ଜ ବିହାରୀ ପାଣି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ନୃତ୍ୟ ନିଳୟ,ଆଦୃତା ଶିଶୁ ଗୃହ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀମାନେ‌ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରିଥିଲେ।‌ ଶେଷରେ ପବିତ୍ର କୁମାର ବିଶ୍ବାଳ ଧନ୍ୟବାଦ ଅର୍ପଣକରିଥିଲେ।

Leave A Reply

Your email address will not be published.

error: Content is protected !!