ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗ ପକ୍ଷରୁ ସୋମବାର ସକାଳେ ଏକ ବଡ଼ଧରଣର ଚଢ଼ାଉ କରାଯାଇ ଜଣେ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ୨୯ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ସୂଚନା ଅନୁଯାୟୀ, ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ହାତୀସାଳ ପଡ଼ା ସ୍ଥିତ ବିକ୍ରମ ଲଜ ନିକଟରେ ଜଣେ ବ୍ୟକ୍ତି ବେଆଇନ ଭାବେ ନିଶାଦ୍ରବ୍ୟ ବିକ୍ରି କରିବା ପାଇଁ ଗ୍ରାହକଙ୍କୁ ଅପେକ୍ଷା କରିଥିବା ନେଇ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା।
ଏହି ବିଶ୍ଵସ୍ତ ସୂଚନାକୁ ଆଧାର କରି ଅବକାରୀ ଅଧିକାରୀମାନେ ସଦଳବଳେ ସକାଳ ପ୍ରାୟ ୮ଟା ସମୟରେ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ କାଣ୍ଡସର ଗ୍ରାମର ୪୫ ବର୍ଷୀୟ ନାରାୟଣ ମୁଦୁଲିଙ୍କୁ କାବୁ କରାଯାଇଥିଲା। ତାଙ୍କ ନିକଟରୁ ଜବତ ହୋଇଥିବା ୨୯ ଗ୍ରାମ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨ ଲକ୍ଷ ୯୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ଅବକାରୀ ବିଭାଗ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି।



