ଅନୁଗୁଳ: ଅନୁଗୁଳ ବନରାଜିକ ମହାବିଦ୍ୟାଳୟ ଖେଳ ପଡ଼ିଆରେ ୩୧ଶ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ରୂପେ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଶ୍ରୀ ପ୍ରଧାନ ମାର୍ଚ୍ଚ ପାଷ୍ଟରେ ଖେଳାଳୀ ମାନଙ୍କ ଅଭିବାଦନ ଗ୍ରହଣ କରିବା ସହ କ୍ରୀଡା ପତାକା ଉତ୍ତୋଳନ କରିଥିଲେ। ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାର କିଭଳି ଭିତ୍ତିଭୂମିର ଦୃଢ଼ୀ କରଣ କରୁଛନ୍ତି ତାହା ବର୍ଣ୍ଣନା କରିଥିଲେ।
ଜିଲ୍ଲା କ୍ରୀଡା ସଂସଦ ସାଧାରଣ ସମ୍ପାଦକ ଡ଼ା ଗୌର ଗୋବିନ୍ଦ ସାମନ୍ତଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, କ୍ରୀଡା ସଂସଦ ଉପସଭାପତି ନେତ୍ରାନନ୍ଦ ମହାକୁଡ଼, ସହ ସମ୍ପାଦକ ପେସ୍କାର ଗଡ଼ନାୟକ, ସଦସ୍ୟ ରୁଚିର କୁମାର ଦାସ,ପ୍ରଭାସ କୁମାର ଦାସ, ରମେଶ ଚନ୍ଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦାନ କରିଥିଲେ। ବିଭିନ୍ନ ବର୍ଗରେ ୧୫୦ରୁ ଅଧିକ ଖେଳାଳୀ ଦୌଡ଼ କୁଦ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଡିସକସ,ଦୃତ ଚାଲି ଆଦିରେ ଭାଗ ନେଇଥିଲେ। ରବିବାର ପ୍ରତିଯୋଗୀତା ଉଦଯାପିତ ହେବ।


