ନାଟ୍ୟମ ମହୋତ୍ସବର ଚତୁର୍ଥ ସନ୍ଧ୍ୟା: ମଞ୍ଚସ୍ଥ ହେଲା ନାଟକ ଘିନୁଆ

0

ଅନୁଗୁଳ: ଶନିବାର ସନ୍ଧ୍ୟାରେ ଅନୁଗୋଳ ସଭାଘରେ ନାଟ୍ୟମ ନାଟ୍ୟ ମେଳାର ଚତୁର୍ଥ ରଜନୀରେ ପ୍ରଦର୍ଶିତ ହୋଇଥିଲା ନାଟକ ଘିନୁଆ। ସମାରୋହକୁ ଉଦଘାଟନ କରିଥିଲେ ଅଧ୍ୟାପକ କୁମୁଦ ଚନ୍ଦ୍ର ଦାସ।
ନାଟକ ଜୀବନ ଧର୍ମୀ ହେଲେ ଏହା ଦର୍ଶକଙ୍କୁ ଆକୃଷ୍ଟ କରିଥାଏ ବୋଲି କହିଥିଲେ ଅଧ୍ୟାପକ ଶ୍ରୀ ଦାସ। ପାରାଦୀପର କ୍ୟାନ୍ମାସ ଗ୍ରୁପ୍ ଘିନୁଆ ନାଟକ ଟିକୁ ପ୍ରସ୍ତୁତ କରିଥିଲା। ପ୍ରସିଦ୍ଧ କଥାକାର ଭଗବତୀ ଚରଣ ପାଣିଗ୍ରାହୀଙ୍କ ଶିକାର ଗଳ୍ପକୁ ନାଟ୍ୟ ରୂପ ଦେଇଥିଲେ ଡ଼ା ସଞ୍ଜୟ ହାତୀ। ନିର୍ଦ୍ଦେଶନା ଦେଇଛନ୍ତି କୈଳାସ ପାଣିଗ୍ରାହୀ। ନାଟକଟି ପ୍ରାକ୍ ସ୍ଵାଧୀନତା ସମୟର।ଘିନୁଆ ଜଣେ ଆଦିବାସୀ ନାମକରା ଶିକାରୀ।ସେ ଅନେକ ସମୟରେ ବାଘ,ହରିଣ, କୁଟୁରା ଆଦି ଶିକାର କରି ଇଂରେଜ ଅଫିସରଙ୍କୁ ଦିଏ ଆଉ ମୋଟା ଅଙ୍କର ବକ୍ସିସ୍ ପାଏ। ଦିନ ପରେ ଦିନ ଗଡି ଚାଲେ। ଜଙ୍ଗଲ ଭିତରେ ନକ୍ସଲ ମେଳି ହୁଏ,ଇଂରେଜ ସରକାରଙ୍କ ବିରୁଦ୍ଧରେ ବି ମେଳି ହୁଏ।
ଇତି ମଧ୍ୟରେ କାଠ ମାଫିଆ ଗୋବିନ୍ଦ ସର୍ଦ୍ଦାର ଜଙ୍ଗଲରେ ରହୁଥିବା ଆଦିବାସିଙ୍କୁ ହଇରାଣ କରେ। ତାର ଆଖି ପଦେ ଘିନୁଆର ସ୍ତ୍ରୀ ରତନି ଉପରେ। ତାରୂପ ଲାବଣ୍ୟରେ ମୋହିତ ହୋଇ ତାକୁ ଉପଭୋଗ କରିବାକୁ ମନସ୍ଥ କରେ ।ଏହା ଦେଖି ଘିନୁଆ ହିଂସ୍ର ହୋଇଉଠେ।ଗୋବିନ୍ଦକୁ ସଫା କଲେ ମୋଟା ଅଙ୍କର ବକ୍ସିସ୍ ମିଳିବ ବୋଲି ଭାବେ। ତେଣୁ ଦିନେ ସୁଯୋଗ ଦେଖି ଗୋବିନ୍ଦକୁ ହାଣି ତା କଟା ମୁଣ୍ଡ ଧରି ଇଂରେଜ ଅଧିକାରୀଙ୍କୁ ଦିଏ ଆଉ ବଦଳରେ ବକ୍ସିସ୍ ମାଗେ। କିନ୍ତୁ ଆଇନର ଜାଲରେ ଛନ୍ଦି ହୋଇ ପଡେ ସେ। ତାକୁ ମିଳେ ଫାଶୀ ଦଣ୍ଡ।ଫାଶୀ ଦଣ୍ଡ ସମୟରେ ବି ବକ୍ସିସ୍ ମାଗିବା ଘିନୁଆର ସରଳ ପଣିଆ କୁ ଯେଭଳି ପ୍ରକଟିତକରିଛି। ରତନୀ ଘିନୁଆକୁ ଯେଭଳି ଶେଷ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିଛି ତାହା ନାଟକକୁ ବେଶ୍ ମର୍ମସ୍ପର୍ଶୀ କରିପାରିଛି। ଘିନୁଆ ଚରିତ୍ର ରେ ସଚ୍ଚିକାନ୍ତ ବିଶ୍ଵାଳଙ୍କ ଭୂମିକ ବେଶ୍ ଉପଭୋଗ୍ୟ ହୋଇଚି। ସମାରୋହକୁ ନାଟ୍ୟମର ସଭାପତି ସୁଧାଂଶୁ ମୋହନ ଦ୍ବିବେଦୀ ଓ କୋଷାଧ୍ୟକ୍ଷ ରବୀନ୍ଦ୍ର ନାଥ ସାହୁ ପରିଚାଳନା କରିଥିଲେ।

Leave A Reply

Your email address will not be published.

error: Content is protected !!