ଅନୁଗୁଳ: ନାଟକ ଉତ୍ସବର ଚତୁର୍ଥ ଦିବସରେ ସ୍ଥାନୀୟ ସଭାଘର ଠାରେ ମଞ୍ଚସ୍ଥ ହେଲା ନାଟକ ‘କୋକୁଆ’। ‘କୋକୁଆ’ ହେଉଛି ଏକ କାଳ୍ପନିକ ଶବ୍ଦ ଯାହା ସମାଜର ଲୋକଙ୍କୁ ଭୟଭୀତ କରିଥାଏ। ଆଜିର ସମାଜରେ ହତ୍ୟା,ଧର୍ଷଣ,ବ୍ୟଭିଚାର ,ଈର୍ଷା ଅସୂୟା ଭାବ ବଢ଼ି ବଢ଼ି ଚାଲିଛି। ସବୁଦିନ ଲୁଟ, ଛିନତାଇ,ଦୁର୍ନୀତିର କରାଳ ହସ୍ତ ସମଗ୍ର ସମାଜକୁ ପଥ ଭ୍ରଷ୍ଟ କରିଛି ଯାହା ସାଧାରଣରେ କୋକୁଆ ଭୟ ସୃଷ୍ଟି କରିଛି।ରାଉରକେଲାର ପରିଚୟ ଅନୁଷ୍ଠାନ ପକ୍ଷରୁ ପ୍ରଦର୍ଶିତ ଏହି ନାଟକକୁ ଲେଖିଛନ୍ତି ଚିନ୍ତାମଣି ଜେନା ଓ ନିର୍ଦ୍ଦେଶନା ଦେଇଛନ୍ତି ପଞ୍ଚାନନ ପାତ୍ର।
ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ପର୍ଯ୍ୟଟନ ଓ ଭାଷା ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର ମଞ୍ଚ ନାଟକର ପୁନରୁଦ୍ଧାର ଆବଶ୍ୟକତା ଓ ନାଟକ କିଭଳି ଯୁଗେଯୁଗେ ଭାରତୀୟ ସମାଜକୁ ବଦଳାଇବା ରେ ସାହାଯ୍ୟ କରିଛି ତାହା ବର୍ଣ୍ଣନା କରିଥିଲେ। ମନ୍ତ୍ରୀ ନାଟକର ନିର୍ଦ୍ଦେଶକ ପଞ୍ଚାନନ ପାତ୍ରଙ୍କୁ ଶାଲ ଦେଇ ସମ୍ବର୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟପୁରୁଷ ସମର ମୁଦୁଲି, ନୃତ୍ୟ ଗୁରୁ ଅନିତା ସିଂଦେଓ ,କଳାକାର ସଭାପତି ଭୂପେଶ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲାବେଳେ ନାଟ୍ୟ ନିର୍ଦ୍ଦେଶକ ସୁଧାଂଶୁ ଦ୍ବିବେଦୀ ମଞ୍ଚ ସଂଚାଳନ କରିଥିଲେ।