ଅନୁଗୁଳ: ଦେଶରେ ଦେଖାଦେଉଥିବା ପରିବେଶ ଅସନ୍ତୁଳନକୁ ରୋକିବା ଏବଂ ସମାଜରେ ସମାନତା ରକ୍ଷା କରିବା ଭଳି ମହତ ଉଦ୍ଦେଶ୍ୟ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଉତ୍ତରପ୍ରଦେଶ ବଲିଆ ଜିଲ୍ଲାର ୬୨ ବର୍ଷୀୟ ବୃଦ୍ଧ ବିନୋଦ ସେବକ।
ବିନୋଦଙ୍କ ଏହି ଯାତ୍ରାର ମୂଳ ଲକ୍ଷ୍ୟ ହେଉଛି ବୃକ୍ଷରୋପଣ ସଚେତନତା, ଦେଶବାସୀଙ୍କ ମଧ୍ୟରେ ଏକତା ଓ ସମାନତାର ଭାବନା ଜାଗ୍ରତ କରିବା, ବିଭିନ୍ନ ଐତିହାସିକ ସ୍ଥାନରୁ ପବିତ୍ର ମାଟି ସଂଗ୍ରହ କରି ଦେଶର ସଂଗ୍ରାମୀଙ୍କୁ ସ୍ମରଣ କରିବା।
ଗତ ଜାନୁଆରୀ ୧୯ ତାରିଖରେ ଉତ୍ତରପ୍ରଦେଶର ହାଥଜୌ ଗାଁରୁ ସେ ନିଜର ଯାତ୍ରା ଆରମ୍ଭ କରିଥିଲେ। ପ୍ରଥମେ ସେ କଟକର ଓଡ଼ିଆ ବଜାରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନରୁ ମାଟି ସଂଗ୍ରହ କରିଥିଲେ। ପରେ ଅନୁଗୁଳ ଜିଲ୍ଲା ଗସ୍ତ କରି ସେଠାରେ ସ୍ୱାଧୀନତା ସଂଗ୍ରାମୀ ବେଣୁଧର ପ୍ରଧାନ ଏବଂ ବଂଶୀଧର ପ୍ରଧାନଙ୍କ ଜନ୍ମଭୂମିରୁ ମାଟି ସଂଗ୍ରହ କରିଥିଲେ।
ବିନୋଦ ସେବକ ପୂର୍ବରୁ କୃଷକ ଆନ୍ଦୋଳନ ପାଇଁ ଭାରତ ଭ୍ରମଣ କରିସାରିଛନ୍ତି। ଚଳିତ ଯାତ୍ରାକୁ ସେ ଆସନ୍ତା ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଜଣେ ୬୨ ବର୍ଷୀୟ ବ୍ୟକ୍ତିଙ୍କର ଏହି ଦେଶପ୍ରେମ ଓ ପରିବେଶ ସୁରକ୍ଷା ପ୍ରତି ଥିବା ନିଷ୍ଠା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।



