ଅନୁଗୁଳ ଲକ୍ଷ୍ମୀପୂଜାର ୬୫ ବର୍ଷର ଐତିହ୍ୟ ଓ ପରମ୍ପରା

You are currently viewing ଅନୁଗୁଳ ଲକ୍ଷ୍ମୀପୂଜାର ୬୫ ବର୍ଷର ଐତିହ୍ୟ ଓ ପରମ୍ପରା

ଅନୁଗୁଳ: ଅନୁଗୁଳ ଲକ୍ଷ୍ମୀ ବଜାରରେ ୧୯୬୦ ମସିହାରେ ପ୍ରଥମଥର ପାଇଁ ସାର୍ବଜନୀନ ଲକ୍ଷ୍ମୀପୂଜା ଆରମ୍ଭ ହୋଇଥିଲା। ତହିଁ ପରବର୍ଷ ବଜାର ଛକରେ ଲକ୍ଷ୍ମୀପୂଜା ଆରମ୍ଭ ହେଲା। ତାପରେ କିଛି ବର୍ଷ ପରେ ବସ୍ ଷ୍ଟାଣ୍ଡ ପୂଜା କମିଟି ଏବଂ ଧୀରେ ଧୀରେ ସବୁ ବଜାର ଆଉ ଛକରେ ପୂଜା ଆରମ୍ଭ ହୋଇଗଲା।

ଲକ୍ଷ୍ମୀ ବଜାରର ଦଣ୍ଡାୟମାନ ଗଜ ଲକ୍ଷ୍ମୀ ପୂଜା ହେଉଛି ବିଶେଷତ୍ଵ।ବଜାର ଛକ କମିଟି ଦ୍ଵାରା ସବୁବେଳେ ନିଆରା ଢଙ୍ଗରେ ତୋରଣ ଓ ମେଢ ହୋଇଥାଏ। ଚଳିତ ବର୍ଷ ଜୈବ ବିବିଧତା ଥିମ୍ ଉପରେ ତାଙ୍କର ତୋରଣ ସବୁଠାରୁ ଅଧିକ ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି। ବଜାର ଛକ ପରେ ଡ଼ିଆଇସି ଛକ ପୂଜା କମିଟି ସବୁ ବର୍ଷ କିଛି ନା କିଛି ନୂଆ କରି ଲୋକଙ୍କୁ ଦେଖାନ୍ତି। କାଞ୍ଚନ ବଜାର ରାମ ମନ୍ଦିର କରିବାକୁ ଯାଉଥିବା ବେଳେ କଲେଜ ଛକର ପୁରୀ ରଥ ଦର୍ଶକଙ୍କ ମନ କିଣିବ ବୋଲି ଆଶା କରାଯାଉଛି।

ଶିକ୍ଷକ ପଡ଼ା ପଦ୍ମାଳୟା ପୂଜା କମିଟି,ପୁରୁଣା ବସ ଷ୍ଟାଣ୍ଡ ପୂଜା କମିଟି ମଧ୍ୟ ମେଢ଼,ତୋରଣ ଓ ଲାଇଟ୍ ଗେଟ୍ ଉପରେ ଜୋର ଦେବେ ବୋଲି ଜଣାପଡିଛି। ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଏକାଧିକ ପୂଜା ମଣ୍ଡପ ରହିବ ବୋଲି ଜଣା ପଡିଛି। ଚଳିତ ବର୍ଷ ୬ ତାରିଖ ସନ୍ଧ୍ୟାରୁ ପୂଜା ଆରମ୍ଭ ହୋଇ ୧୫ ତାରିଖରେ ଭସାଣି ଅନୁଷ୍ଠିତ ହେବ।

ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆ ଯାଇଛି। ପାନୀୟ ଜଳ,ପରିମଳ,ସୁରକ୍ଷା,ଟ୍ରାଫିକ ବ୍ୟବସ୍ଥା ଆଦି ନିୟନ୍ତ୍ରଣ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆ ଯାଇଛି। ମଦୁଆ ଓ ଅପରାଧୀମାନଙ୍କୁ ନିୟନ୍ତ୍ରଣ କରିବାପାଇଁ ପୋଲିସ ପକ୍ଷରୁ ସିଶିଟିଭି ଜରିଆରେ ଶକ୍ତ ନଜର ରଖା ଯାଇଛି।ଲକ୍ଷ୍ମୀ ପୂଜା ସମୟରେ ଅନୁଗୁଳର ବନ୍ଧୁ ବାନ୍ଧବ ମାନେ ବାହାରେ ରହୁଥିଲେ ଏହି ସମୟରେ ଘରକୁ ଫେରି ଆନନ୍ଦ ଉତ୍ସବରେ ସାମିଲ ହୁଅନ୍ତି। ଏହି ସମୟରେ ମେଳା, ମୀନା ବଜାର,ଦୋଳି,ଫୁଡ୍ ବଜାର ଦର୍ଶକ ମାନଙ୍କୁ ବିଶେଷ ଆକୃଷ୍ଟ କରିଥାଏ। ଏହି ସମୟରେ ଜିଲ୍ଲା ବାହାରୁ ବହୁ ପର୍ଯ୍ୟଟକ ଅନୁଗୁଳକୁ ବୁଲି ଆସିଥାନ୍ତି। ଏହାଦ୍ବାରା ପର୍ଯ୍ୟଟନର ବିକାଶ ମଧ୍ୟ ହୋଇଥାଏ।

Share

Leave a Reply