ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ଲକ୍ଷ୍ମୀପ୍ରିୟାପୁର
ଅଞ୍ଚଳରେ ଘଟିଥିବା ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି ଅନୁଗୁଳ ପୋଲିସ। ଏଥିସହ ମାମଲାରେ ସମ୍ପୃକ୍ତ ୯ ଜଣଙ୍କୁ ଗିରଫ କରିଛି। ଏହି ଡକାୟତମାନେ ଟ୍ରାକ୍ଟର ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଘରେ ସଂଘ ବଦ୍ଧ ଭାବେ ପଶି ଶୋକରେ ବୁଡ଼ିଥିବା ଲୋକଙ୍କଠାରୁ ଲୁଟ କରିଥିଲେ।
ଅଭିଯୁକ୍ତମାନେ ହେଉଛନ୍ତି, ଅନୁଗୁଳ ବନ୍ତଳା ଥାନା ଅନ୍ତର୍ଗତ ସୁନୀଲ ବେହେରା (୩୩), କାଳିଏରୀ ଥାନା ଅନ୍ତର୍ଗତ ମାନସ ସାହୁ (୩୫)ଏବଂ ବିକାଶ ସେଠି (୨୫), ବଅଁରପାଳ ଥାନା ଅନ୍ତର୍ଗତ ସୁଶୀଲ ନାୟକ, ଆଠମଲ୍ଲିକ ଥାନା ଅନ୍ତର୍ଗତ ସୁନୀଲ ବାରିକ (୩୨), ହଣ୍ଡପା ଥାନା ଅନ୍ତର୍ଗତ ବିଜୟ ପରିଡା (୨୯)ଏବଂ ପପୁ ବେହେରା ୨୦, ଛେଣ୍ଡିପଦା ଥାନା ଅନ୍ତର୍ଗତ ଅଲେଖ ଭୂତିଆ। ଏମାନଙ୍କ ଠାରୁ ୧୫ ଟି ମୋବାଇଲ ଫୋନ, ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ମାରୁତି ଡିଜାୟାର କାର (ଓ ଡି ୦୨ ସି ଜେ ୨୯୨୪), ଗୋଟିଏ ବାଇକ (ଓ ଡି ୧୯ ଜେଡ ୦୧୫୭), ୧୦ ଟି ସୁନା କାନ ଫୁଲ, ଗୋଟିଏ ମଙ୍ଗଳ ସୂତ୍ର, ଗୋଟିଏ ସିଲଭର ବ୍ରେସଲେଟ୍, ନଗଦ ୩୦ ହଜାର ଟଙ୍କା, ୩ ଟି ଖଣ୍ଡା, ଷ୍ଟିଲ ଖଣ୍ଡା ଗୋଟିଏ, ଗୋଟିଏ କଟୁରୀ ପୋଲିସ ଜବତ କରିଛି।
ଅନୁଗୁଳ ଏସ ପି ରାହୁଲ ଜୈନଙ୍କ କହିବା ଅନୁଯାୟୀ, ଡକାୟତମାନେ କାନ ଫୁଲକୁ ଢେଙ୍କାନାଳ ଫେଡ଼ରାଲ ବ୍ୟାଙ୍କରେ ବନ୍ଧା ଦେଇଥିଲେ। ସେହି ସୁନାଗୁଡ଼ିକ ପୋଲସ ଉଦ୍ଧାର କରିଛି। ଅପରାଧୀଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ଏସପି କହିଛନ୍ତି।