ଅନୁଗୁଳ: ଅନୁଗୁଳ ଆଞ୍ଚଳିକ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ତରଫରୁ ସ୍ଥାନୀୟ ଗାନ୍ଧୀ ମାର୍ଗ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଭିନ୍ନ ସୂଚନା ପ୍ରଦାନ କରାଯାଇଛି।
ସୂଚନା ମୁତାବକ, ଜୁନ ୫ରୁ ୮ ଯାଏଁ ଚାରି ଦିନ ଧରି ବାରିପଦା ସ୍ଥିତ ସାଇ ବିଦ୍ୟା ମନ୍ଦିର ଠାରେ ପ୍ରାନ୍ତ ଅଭ୍ୟାସ ବର୍ଗ ଆୟୋଜିତ ହୋଇଥିଲା। ଏଥିରେ ବିଦ୍ୟାର୍ଥୀ ପରିଷଦର ଆଗାମୀ ଏକ ବର୍ଷର ଯୋଜନା ସ୍ଥିର ହେବା ସହିତ ସାରା ଓଡ଼ିଶାରେ ଏକ ଲକ୍ଷ ଚାଳିଶ ହଜାର ସଦସ୍ୟତା ଲକ୍ଷ୍ୟ ସ୍ଥିର କରାଯାଇଛି। ଏହି ଅଭ୍ୟାସ ବର୍ଗରେ ଓଡ଼ିଶା ପୂର୍ବ ପ୍ରାନ୍ତର ପାଖାପାଖି ୨୩ ଟି ସାଂଗଠନିକ ଜିଲ୍ଲାରୁ ୨୫୦ରୁ ଅଧିକ ବିଦ୍ୟାର୍ଥୀ ଯୋଗ ଦେଇଥିଲେ।
ଏ ଅବସରରେ ବିଭିନ୍ନ ବିଭାଗ ଏବଂ ଜିଲ୍ଲାର ଦାୟିତ୍ଵ ମଧ୍ଯ ଘୋଷଣା କରାଯାଇଛି। ଚଳିତ ବର୍ଷ ଅନୁଗୁଳ ଜିଲ୍ଲାରେ ୧୦,୦୦୦ ସଦସ୍ୟତାର ଲକ୍ଷ୍ୟ ରହିଛି। ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନକୁ ନେଇ ସରକାରଙ୍କ ଘୋଷଣାକୁ ବିଦ୍ୟାର୍ଥୀ ପରିଷଦ ସ୍ବାଗତ କରିବା ସହ ଏହି ବର୍ଷ ଓଡ଼ିଶା ସାରା ଯେତେ ବି କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ହେବ ସବୁଠାରେ ଜିତିବାକୁ ଲକ୍ଷ୍ୟ ରହିଛି।
ଢେଙ୍କାନାଳ ବିଭାଗ ପ୍ରମୁଖ ଭାବେ ଅଧ୍ୟାପକ ମୁରଲୀ କିଶୋରୀ ଜେନା, ବିଭାଗ ସହ ପ୍ରମୁଖ ଭାବେ ଅଧ୍ୟାପକ ଶଶାଙ୍କ ଶେଖର ପ୍ରଧାନ, ବିଭାଗ ସଂଯୋଜକ ଭାବେ ଅରୂପ ପଟ୍ଟନାୟକ, ବିଭାଗ ସହ ସଯୋଜକ ଭାବେ ଆଶିଷ କୁମାର ବେହେରା, ବିଭାଗ ଖେଳ ଭାରତ ପ୍ରମୁଖ ଭାବେ ସୁମନ ସାହୁ, ଅନୁଗୁଳ ଜିଲ୍ଲା ପ୍ରମୁଖ ଭାବେ ଅଧ୍ୟାପକ ଅବିନାଶ ଦୁବେ, ଅନୁଗୁଳ ଜିଲ୍ଲା ସଂଯୋଜକ ଭାବେ ଉମେଶ ବାଘ, ଜିଲ୍ଲା ସହ- ସଂଯୋଜକ ଭାବେ ଯୋଗେଶ କୁମାର ସାହୁ, ସାଇ ବିଗ୍ନେଶ ସାହୁ ଏବଂ ପୂର୍ବକାଳୀନ ଭାବେ କାର୍ଯ୍ୟ କରିବା ପାଇଁ ବିଷ୍ଣୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।