ଅନୁଗୁଳ: ଅବ୍ୟବସ୍ଥା ଘେରରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଏହି ଜିଲ୍ଲା ହେଡ କ୍ୱାର୍ଟର ସବୁବେଳେ ଚିକିତ୍ସାରେ ଅବହେଳା ତଥା ରୋଗୀଙ୍କୁ ଉଚିତ ସେବା ଯୋଗାଉ ନ ଥିବାରୁ ଚର୍ଚ୍ଚାରେ ଥିଲେ ମଧ୍ୟ ବ୍ୟବସ୍ଥାରେ ସୁଧୁରିବାର ନାଁ ଧରୁନି। ହସ୍ପିଟାଲରେ ଗତ ସାତ ଦିନ ହେଲାଣି ରୋଗୀମାନଙ୍କୁ ବେଡସିଟ ଦିଆ ଯାଉନାହିଁ। ଗୋଟିଏ ପୁରୁଣା ବେଡ୍ସିଟରେ ସପ୍ତାହଟେ ହେଲାଣି ରୋଗୀମାନେ ଶୋଉଛନ୍ତି।
ନିର୍ମଳ ଯୋଜନା ମୁତାବକ, ହସ୍ପିଟାଲରେ ସାତ ଦିନରେ ସାତ ରଙ୍ଗର ବେଡ଼ସିଟ ପଡ଼ିବା କଥା। କିନ୍ତୁ ଏଠାରେ ପରିଚାଳନାଗତ ତ୍ରୁଟି ହେତୁ ଗୋଟିଏ ବେଡ ସିଟକୁ ରୋଗୀମାନେ୬-୭ ଦିନ ଧରି ବ୍ୟବହାର କରୁଛନ୍ତି। ଏଥିରେ ରୋଗ ସଂକ୍ରମଣର ଭୟ ରହିବା ସହ ପରିବେଶ ଦୁର୍ଗନ୍ଧମୟ ହୋଇପଡ଼ିଛି।
ଦୁଇ ଦିନ ତଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁର୍ଘଟଣାରେ ଆହତ କିଛି ଦଳୀୟ କର୍ମୀଙ୍କୁ ଭେଟିବା ପାଇଁ ଅନୁଗୁଳ ହସ୍ପିଟାଲ ସର୍ଜରୀ ୱାର୍ଡ ଆସିଥିଲେ। ତାଙ୍କ ଆସିବା ଖବର ପାଇ ଡାକ୍ତରଖାନା ପକ୍ଷରୁ ତୁରନ୍ତ ପୁରୁଣା ବେଡସିଟକୁ ବଦଳାଇବାକୁ ନିର୍ଦ୍ଦେଶ ହୋଇଥିଲା।
ସେହିଭଳି ସର୍ଜରୀ ଓ ହାଡ଼ ବିଭାଗରେ ବେଡ ଅଭାବରୁ ରୋଗୀନ ତଳେ ଶୋଉଥିବା ଦେଖିବାକୁ ମିଳିଛି। ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି। ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।