ଅନୁଗୁଳ: ହତ୍ୟା ଅଭିଯୁକ୍ତ ବାପା ଓ ପୁଅଙ୍କୁ ମଙ୍ଗଳବାର ଅନୁଗୁଳ ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛି।
ସୂଚନା ମୁତାବକ, ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ କରମଙ୍ଗାସାହିର ଦଣ୍ଡ ନାଚ କଳାକାର ସୁବାଶିଷ ମହାପାତ୍ର ୨୦୨୧ ସେପ୍ଟେମ୍ବର ୩ ତାରିଖ ରାତି ପ୍ରାୟ ୧୦ଟାରେ ଗାଁର ସୁବାଷ ଚନ୍ଦ୍ର ଦୋରା(୬୦)ଙ୍କୁ ଦଣ୍ଡନାଚ ବାବଦରେ ପାରିଶ୍ରମିକ ଟଙ୍କା ମାଗିଥିଲେ। ଏ ନେଇ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସୁବାଷ ଚନ୍ଦ୍ର ଦୋରା ଓ ତାଙ୍କ ପୁଅ ମନୋରଞ୍ଜନ ଦୋରା(୨୮) ସୁବାଶିଷଙ୍କୁ ମାଡ଼ ମାରିଥିଲେ। ସୁବାଷ ୨ ହାତରେ ସୁବାଶିଷଙ୍କୁ ଜାବୁଡ଼ି ଧରିଥିବା ବେଳେ ଏକ ଶାବଳରେ ମନୋରଞ୍ଜନ ସୁବାଶିଷଙ୍କ ମୁଣ୍ଡରେ ଆଘାତ କରିଥିଲେ। ଏହି ସମୟରେ ସୁବାଶିଷଙ୍କ ମା‘ ସୁଷମା ମହାପାତ୍ର ପହଞ୍ଚି ପାଟି କରିବାରୁ ସ୍ଥାନୀୟ ଲୋକେ ଆସିଥିଲେ। ଲୋକଙ୍କୁ ଦେଖି ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ସୁବାଶିଷଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ସୁବାଶିଷଙ୍କ ମା’ ସୁଷମା ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଏହି ମାମଲାରେ ପୋଲିସ ଅଭିଯୁକ୍ତ ସୁବାଷ ଓ ମନୋରଞ୍ଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାର କରି ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରଞ୍ଜିତା ଜ୍ୟୋତିଷି ଉଭୟ ଅଭିଯୁକ୍ତ ବାପା ଓ ପୁଅଙ୍କୁ ଦୋଷୀ ସାବ୍ୟସ୍ତ କରି ମଙ୍ଗଳବାର ଆଜୀବନ କାରାଦଣ୍ଡସହ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ଦଣ୍ଡାଦେଶ ଶୁଣାଇଛନ୍ତି। ଜୋରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ କାରାଦଣ୍ଡ ଭୋଗିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ସରକାରଙ୍କ ତରଫରୁ ଅତିରିକ୍ତ ପିପି ତାପସ ରଞ୍ଜନ ମିଶ୍ର ପରିଚାଳନା କରୁଥିଲେ।