ଅନୁଗୁଳ: ଅନୁଗୁଳ ସହରରେ ଚାଞ୍ଚଲ୍ୟ ଖେଳାଇଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଆଜି କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିରଞ୍ଚି ନାରାୟଣ ମିଶ୍ର ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ଚନ୍ଦ୍ରକାନ୍ତ ମଲ୍ଲିକ (୨୯)କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ କୋର୍ଟ ଅଭିଯୁକ୍ତକୁ ୫୦ ହଜାର ଟଙ୍କା ଜୋରିମାନା କରିଛନ୍ତି ଏବଂ ଜୋରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି। ଏହି ଐତିହାସିକ ନିଷ୍ପତ୍ତିରେ ବିଚାରପତି ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ପାଇଁ ମଧ୍ୟ ସରକାରଙ୍କୁ ସୁପାରିସ କରିଛନ୍ତି।
ସୂଚନା ଅନୁସାରେ, ୨୦୨୪ ଜୁନ୍ ମାସରେ ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ରାଜକିଶୋର ପଡ଼ାରେ ଏକ ଭଡ଼ା ଘରେ ରହୁଥିବା ୧୭ ବର୍ଷୀୟା ନାବାଳିକାଙ୍କୁ ଅଭିଯୁକ୍ତ ଚନ୍ଦ୍ରକାନ୍ତ ମଲ୍ଲିକ ଦୁଷ୍କର୍ମ କରିଥିଲା। ରାଉରକେଲା ବ୍ୟାସନଗର ଅଞ୍ଚଳର ଏହି ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ଘରେ ଏକୁଟିଆ ପାଇ ତାଙ୍କ ମୁହଁରେ କଳା କନା ବାନ୍ଧି ଜୋରଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିଲା। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଅଭିଯୁକ୍ତ ୨୦୧୮ ମସିହାରୁ ତାଙ୍କୁ ବିଭିନ୍ନ ପ୍ରକାର ଭୟଭୀତ କରାଇ ବାରମ୍ବାର ଶାରୀରିକ ଶୋଷଣ କରିଆସୁଥିଲା।
ଏହି ସଂଗିନ ମାମଲାକୁ ଭିତ୍ତି କରି ଅନୁଗୁଳ ପୋଲିସ ଅଭିଯୁକ୍ତ ବିରୋଧରେ ଆଇପିସି ଧାରା 376AB, 376(2)(n), 506, 354-C ଏବଂ ପୋକ୍ସୋ ଆକ୍ଟର ଧାରା ୬ ଅନ୍ତର୍ଗତ ମାମଲା ରୁଜୁ କରି ତାକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସରକାରୀ ଓକିଲ ରଞ୍ଜନ ପାତ୍ର ଏହି ମାମଲାଟିକୁ ପରିଚାଳନା କରୁଥିବା ବେଳେ ଆଜିର ଏହି କଠୋର ଦଣ୍ଡାଦେଶ ସମାଜରେ ଅପରାଧୀଙ୍କ ପାଇଁ ଏକ ଶକ୍ତ ଚେତାବନୀ ସଦୃଶ ହୋଇଛି।



