ଅନୁଗୁଳ: କଟକର ଅତିରିକ୍ତ ସିନିୟର୍ ସିଭିଲ ଜଜ୍ ମାନସ ରଞ୍ଜନ ରାୟଙ୍କ ରବିବାର ଅପରାହ୍ନ ସାଢେ଼ ପାଞ୍ଚଟା ସମୟରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ହେବ କର୍କଟ ରୋଗରେ ପୀଡିତ ହୋଇଥିଲେ।
ରବିବାର ଅପରାହ୍ନରେ ସେ ହଠାତ୍ ଗୁରୁତର ହେବାପରେ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା।ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜି ଥିଲେ। ଅନୁଗୁଳ ଗିତାଗ୍ରାମ ବାସିନ୍ଦା ମାନସଙ୍କ ସ୍କୁଲ ଓ କଲେଜ୍ ଜୀବନ ଅନୁଗୁଳରେ କଟିଥିଲା।ତାଙ୍କ ବାପା ଗୋପବନ୍ଧୁ ରାୟ ଓ ମା ରୁପପ୍ରଭା ଦାସ। ତାଙ୍କର ଗୋଟିଏ ଆଠ ବର୍ଷର ପୁଅ ଅଛି। ଜଣେ ସଚ୍ଚୋଟ ଓ ଦକ୍ଷ ନ୍ୟାୟିକ ଅଧିକାରୀ ଭାବେ ତାଙ୍କର ବିଶେଷ ସୁନାମ ରହିଥିଲା। ତାଙ୍କ ମର ଶରୀରକୁ କଟକ ସତୀଚଉରା ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା। ସ୍ବର୍ଗତ ରାୟଙ୍କ ଅକାଳ ବିୟୋଗରେ କଟକ ଓ ଅନୁଗୁଳରେ ଶୋକର ଛାୟା
ଖେଳିଯାଇଛି।ବହୁ ବିଚାରପତି ଓ ଆଇନଜୀବି କଟକସ୍ଥିତ ତାଙ୍କ ବାସ ଭବନରେ ପହଞ୍ଚି ସ୍ବର୍ଗତ ଆତ୍ମା ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।


