ସୁପରଭାଇଜର ପଦୋନ୍ନତି ଦେବାରେ ବିଳମ୍ବ, ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଲେ ଅଙ୍ଗନଓ୍ଵାଡ଼ି କର୍ମୀ

You are currently viewing ସୁପରଭାଇଜର ପଦୋନ୍ନତି ଦେବାରେ ବିଳମ୍ବ, ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଲେ ଅଙ୍ଗନଓ୍ଵାଡ଼ି କର୍ମୀ

ଅନୁଗୁଳ: ସୁପରଭାଇଜର ପଦୋନ୍ନତି ଦେବାରେ ଅହେତୁକ ବିଳମ୍ବ ହୋଇଥିବା ଅଭିଯୋଗ କରି ଆଜି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣା ଦେଇଛନ୍ତି ଅନୁଗୁଳ ଜିଲ୍ଲାର ଅଙ୍ଗନଓ୍ଵାଡ଼ି କର୍ମୀ। ସେମାନଙ୍କ ଅଭିଯୋଗ ମୁତାବକ, ସରକାରୀ ନିର୍ଦ୍ଦେଶ ଅନୁସାରେ ସେମାନଙ୍କୁ ସେପ୍ଟେମ୍ବର ୨୦୨୧ରୁ ସୁପରଭାଇଜର ପଦୋନ୍ନତି ମିଳିବା କଥା। କିନ୍ତୁ ଇତି ମଧ୍ୟରେ ୬ ମାସ ବିତିଥିଲେ ବି ତାଙ୍କୁ ପଦୋନ୍ନତି ମିଳିନାହିଁ।

ଏ ନେଇ ଡିଏସ୍‌ଡବ୍ଲ୍ୟୁଓଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ସେ ତାରିଖ ପରେ ତାରିଖ ଗଡ଼ାଇ ଚାଲିଛନ୍ତି। ପୂର୍ବରୁ ଜାନୁଆରୀ ମାସରେ ସେମାନେ ପ୍ରଥମ ଥର ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଧାରଣାରେ ବସିଥିଲେ। ସେତେବେଳେ ଡିଏସ୍‌ଡବ୍ଲ୍ୟୁଓ ପଦୋନ୍ନତି ପାଇଁ ପ୍ରତିଶ୍ରୁତି ଦେଇ ଧାରଣାରୁ ଉଠିବାକୁ କହିଥିଲେ। କିନ୍ତୁ ସେ ନିଜ କଥା ରଖିନାହାନ୍ତି। ଏବେ ଯାଏଁ ଅଙ୍ଗନଓ୍ଵାଡି କର୍ମୀଙ୍କୁ ପଦୋନ୍ନତି ମିଳିପାରିନଥିବାରୁ ସେମାନେ ଆଜି ପୁଣିଥରେ ଧାରଣା ଦେବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି।

ଅନ୍ୟ ଜିଲ୍ଲାରେ ଅଙ୍ଗନଓ୍ଵାଡ଼ି କର୍ମୀଙ୍କୁ ପଦୋନ୍ନତି ମିଳିସାରିଥିବା ବେଳେ କେବଳ ଅନୁଗୁଳରେ ହିଁ ନିୟମ କାର୍ଯ୍ୟକାରୀ କରାଯାଇନାହିଁ। ଏଣୁ ପଦୋନ୍ନତି ନ ମିଳିବା ଯାଏଁ ସେମାନେ ଜିଲ୍ଲାପାଳ ଅଫିସ ଆଗରେ ଧାରଣା ଦେବେ ବୋଲି ଅଙ୍ଗନଓ୍ଵାଡ଼ି କର୍ମୀ ସଂଘର ସଭାପତି କୁସୁମ ଦେହୁରୀ ଚେତାବନୀ ଦେଇଛନ୍ତି।

Share

Leave a Reply