ଅନୁଗୁଳରେ ଐରାବତ: ହାତୀଙ୍କୁ ସ୍ଥାନାନ୍ତର କରିବାରେ ହେବ ବ୍ୟବହାର

You are currently viewing ଅନୁଗୁଳରେ ଐରାବତ: ହାତୀଙ୍କୁ ସ୍ଥାନାନ୍ତର କରିବାରେ ହେବ ବ୍ୟବହାର

ଅନୁଗୁଳ: ଅନୁଗୁଳରେ ଐରାବତ। ଅନୁଗୁଳ ଜଙ୍ଗଲ ବିଭାଗକୁ ଆସିଛି ସ୍ବତନ୍ତ୍ର ଟ୍ରକ୍, ଯାହାର ନାମ ରହିଛି ‘ଐରାବତ’। ଏହାକୁ ହାତୀ ସ୍ଥାନାନ୍ତର ପାଇଁ ବ୍ୟବହାର କରାଯିବ। ଟ୍ରକ୍‌ଟି ଝାଡ଼ଖଣ୍ଡରେ ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଛି। ଏହି ଗାଡ଼ିର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା। ହାତୀ ସ୍ଥାନାନ୍ତର ବେଳେ ଆବଶ୍ୟକ ହେଉଥିବା ସବୁ ଯନ୍ତ୍ରପାତି ଏଥିରେ ଉପଲବ୍ଧ ଅଛି। ଏହି ଗାଡ଼ି ଆସିବା ଫଳରେ ପୂର୍ବରୁ ହାତୀକୁ ନେବା ବେଳେ ଯେଉଁଭଳି ସମସ୍ୟା ହେଉଥିଲା, ଆଉ ହେବ ନାହିଁ।

ସୂଚନା ଅନୁସାରେ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ଲାଗି ରହିଛି। ସାତକୋଶିଆରେ ଅନେକ ଅସୁସ୍ଥ ହାତୀଙ୍କ ଜୀବନ ଯାଉଛି। ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର ବେଳେ ସମସ୍ୟା ଦେଖାଯାଉଥିଲା। ଏଣୁ ଏବେ ହାତୀ ସ୍ଥାନାନ୍ତର ପାଇଁ ‘ଐରାବତ’ ଟ୍ରକ୍ ଆସିଛି। ଏଥିରେ ହାତୀକୁ ଟ୍ରକ୍‌ରେ ଉଠିବାକୁ ସ୍ବତନ୍ତ୍ର ଲିଫ୍‌ଟ ଲାଗିଛି। ଟ୍ରକ୍‌ରେ ୧୫ ଶହ ଲିଟର ଜଳଧାରଣ କରୁଥିବା ଟ୍ୟାଙ୍କ୍ ରହିଛି। ଦୂର ସ୍ଥାନକୁ ହାତୀ ସ୍ଥାନାନ୍ତର ସମୟରେ ହାତୀର ଗାଧୋଇବା ଓ ପିଇବା ପାଇଁ ଯେପରି ପାଣିର ଅଭାବ ନହୁଏ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି।

ହାତୀର ତାପମାତ୍ରା ମାପିବାକୁ ଅଟୋମେଟିକ୍ ମେସିନ୍ ଓ ଫାଷ୍ଟଏଡ୍ ବକ୍ସ ଖଞ୍ଜାଯାଇଛି। ସେଥିରେ ୨ ହଜାର ୱାଟ୍‌ର ଜେନେରେଟର ଲାଗିବା ସହିତ ଆଲୋକୀକରଣ ପାଇଁ ଲାଇଟ୍ ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୨ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଅସୁସ୍ଥ ହାତୀ ଖାଇବା ପାଇଁ ସେଥିରେ ସ୍ବତନ୍ତ୍ର ପାତ୍ର ରଖାଯାଇଛି। ହାତୀ ସ୍ଥାନାନ୍ତର ବେଳେ ସାଇରନ୍ ବାଜିବା ସୁବିଧା ରହିଛି। ଫଳରେ ଗାଡ଼ି ଟ୍ରାଫିକରେ ଫସିବ ନାହିଁ।

Share

Leave a Reply