ଘରୋଇ କଳହ ନେଲା ଜୀବନ: ସାନ ଭାଇକୁ ବଡ଼ ଭାଇ ହାଣି ଦେଇଥିବା ଅଭିଯୋଗ

You are currently viewing ଘରୋଇ କଳହ ନେଲା ଜୀବନ: ସାନ ଭାଇକୁ ବଡ଼ ଭାଇ ହାଣି ଦେଇଥିବା ଅଭିଯୋଗ

ଅନୁଗୁଳ: ବଡ଼ ଭାଇର ଟାଙ୍ଗିଆ ଚୋଟରେ ଗଲା ସାନ ଭାଇର ଜୀବନ। ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପୁରୁଣା ଜରାସିଂହା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, ପୁରୁଣା ଜରାସିଂହାର ବଲେହି ନାଏକଙ୍କ ପୁଅ ଗଦା ନାଏକ ଗାଁ ପାଖରେ ଥିବା ରାଇସ୍ ମିଲରେ କାମ କରନ୍ତି। ସେ ସବୁଦିନ ଘର ବାହାର ପଟେ ଶୋଇବାକୁ ଆସନ୍ତି। ଗତ କାଲି ଗାଁ ଆଡ଼ୁ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ତାଙ୍କର ବଡ଼ ଭାଇ ବିରଞ୍ଚିଙ୍କ ସହ ପାରିବାରିକ ସମସ୍ୟାକୁ ନେଇ ଯୁକ୍ତିତର୍କ ହୋଇଥିଲା। ତେବେ ପରେ ଦୁହେଁ ଦୁହିଁଙ୍କ ଘରକୁ ଯାଇ ଖାଇ ସାରି ଶୋଇବାକୁ ଯାଇଥିଲେ। ସକାଳୁ ଉଠି ଦେଖିଲା ବେଳକୁ ଗଦା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶୋଇଛନ୍ତି। ଏହା ଦେଖି ଗଦାଙ୍କ ସ୍ତ୍ରୀ ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ଘର ପାଖ ଲୋକ ଆସି ଦେଖିଲା ବେଳକୁ ଗଦାଙ୍କ ମୃତ୍ୟୁ ହୋଇ ସାରିଥିଲା।

ଖବର ପାଇ ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ବିରଞ୍ଚି ଟାଙ୍ଗିଆରେ ହାଣି ଗଦାଙ୍କୁ ହତ୍ୟା କରି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି।

Share

Leave a Reply