ଭୁବନେଶ୍ବର: ଖରାଦିନ ଆରମ୍ଭ ସହ ବଜାରରେ ଜମିଲାଣି ଆମ୍ବର ଆସର। ବଜାରକୁ ଆସିଲାଣି ସୁନ୍ଦରୀ, ଅର୍କ, ଗୁଲାପଖସ ଭଳି ଏକାଧିକ ପ୍ରକାରର ଆମ୍ବ। ସପ୍ତାହେ ହେଲାଣି ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁରୁ ଆସି ବଜାରକୁ କବ୍ଜା କଲାଣି ଏହି ପ୍ରଜାତିର ଆମ୍ବ। ଏହି ଆମ୍ବର ଦାମ କିଲୋ ପିଛା ୧୮୦ ରୁ ୨୦୦ ଟଙ୍କା ରହିଛି। ତେବେ ପଣା ସଂକ୍ରାନ୍ତି ପରେ ଦର କମିବ ଏବଂ ବିକ୍ରି ବଢ଼ିବ ବୋଲି ରାଜ୍ୟ ପରିବା ବଜାର ବ୍ୟବସାୟୀ ସଂଘ ଆଶା ରଖିଛି।
କୃଷି ବିଭାଗର ସୂଚନା ଅନୁସାରେ, ଓଡ଼ିଶାରେ ସମୁଦାୟ ୨୫ ଲକ୍ଷ ୩୧ ହଜାର ୫୩୪ ମେଟ୍ରିକ୍ ଟନ୍ର ଫଳ ଉତ୍ପାଦିତ ହୁଏ। ଏଥିରୁ କେବଳ ଆମ୍ବ ଭାଗ ୮ ଲକ୍ଷ ୫୦ ହଜାର ୨୯୮ ମେଟ୍ରିକ୍ ଟନ୍ ରହିଛି, ଯାହା ଦେଶର ସମୁଦାୟ ଆମ୍ବ ଉତ୍ପାଦନର ୪.୦୬ ପ୍ରତିଶତ। ଓଡ଼ିଶା ଅଷ୍ଟମ ସ୍ଥାନରେ ରହିଥିଲେ ମଧ୍ୟ ଓଡ଼ିଶା ବଜାରକୁ ଦକ୍ଷିଣ ଭାରତର ଆମ୍ବ କବ୍ଜା କରିଛି।
ଅନ୍ୟପଟେ ଓଡ଼ିଶାର ଆମ୍ବ କିନ୍ତୁ ଦିଲ୍ଲୀ, ଉତ୍ତରପ୍ରଦେଶ ସମେତ ଉତ୍ତର ଭାରତକୁ ଯାଉଛି। ପ୍ରତିବର୍ଷ ଏପ୍ରିଲ୍ ଅନ୍ତିମ ସପ୍ତାହରୁ ଆମ୍ବ ବିକ୍ରି ହୋଇଥାଏ। କିନ୍ତୁ ଚଳିତ ବର୍ଷ ଗୋଟିଏ ମାସ ଆଗୁଆ ଫଳିବା ଆରମ୍ଭ ହୋଇଛି। ତେଣୁ ମେ ୧୫ ପରେ ରାଜ୍ୟରେ ଆମ୍ବର ଗୋଟିଏ ବଡ଼ ବଜାର ସୃଷ୍ଟି ହେବ ବୋଲି ଆଶା ରହିଛି।