ପୁରୁଣାକୋଟରେ ରକ୍ତହୀନତା ପରୀକ୍ଷଣ ଶିବିର

You are currently viewing ପୁରୁଣାକୋଟରେ ରକ୍ତହୀନତା ପରୀକ୍ଷଣ ଶିବିର

ଅନୁଗୁଳ: ଅନୁଗୁଳ ବ୍ଲକ ପୁରୁଣାକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭାରତ ବିକାଶ ପରିଷଦ ଆନୁକୂଲ୍ୟରେ ଏକ ରକ୍ତହୀନତା ପରୀକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ଅନୁଗୁଳ ସିଡିଏମଓ ଡ଼ା ଶିବାନନ୍ଦ ମହାନ୍ତିଙ୍କ ସହଯୋଗରେ ଏହି ଶିବିର ଉଦଘାଟନ ହେବା ସହ ରକ୍ତହୀନତା ବିଶେଷକରି ମହିଳା ମାନଙ୍କ କ୍ଷେତ୍ରରେ କିଭଳି ସାଙ୍ଘାତିକ ସ୍ୱାସ୍ଥ୍ୟଗତ ପରିସ୍ଥିତି ସୃଷ୍ଟି କରିଥାଏ ତାହା ଦର୍ଶାଯାଇଥିଲା। ଡା ପ୍ରତୀକ୍ଷା,ଡା ରାକେଶ ସନ୍ତୋଷ ପାଲ ଓ ଟେକନିସିଆନଙ୍କ ସହାୟତାରେ ଶିବିରରେ ୧୫୦ ରୁ ଊର୍ଧ୍ୱ ଲୋକଙ୍କର ହିମୋଗ୍ଲୋବିନ ପରୀକ୍ଷା କରାଯାଇଥିଲା।

ସନ୍ତୁଳିତ ଖାଦ୍ୟର ଅଭାବ, ଅନିୟନ୍ତ୍ରିତ ଜୀବନ ଶୈଳୀ, ଫାଷ୍ଟ ଫୁଡର ବହୁଳ ବ୍ୟବହାର ଆଜିକାଲି ଅନେକ ଲୋକଙ୍କୁ ରକ୍ତହୀନ କରି ଦେଉଛି। ଏଥିପାଇଁ ଅନେକଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ରେ ପଡ଼ିବାକୁ ବାଧ୍ୟ ହେଉଛନ୍ତି। ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ଅନେକ ସମସ୍ୟା ସୃଷ୍ଟି କରିଥାଏ। ଏପରିକି ମା’ ଶିଶୁଙ୍କ ଜୀବନ ବିପଦରେ ପଡିଥାଏ। ଏ ଅବସରରେ ଅନୁଗୁଳର ପୂର୍ବତନ ସିଡିଏମଓ ଡ଼ା ତ୍ରିଲୋଚନ ପ୍ରଧାନ ଶିବିରରେ ଯୋଗ ଦେଇ ଏନିମିଆ ବା ରକ୍ତହୀନତାର କାରଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ। ଦୁର୍ଗମ ପାହାଡିଆ ଅଂଚଳରେ ରହୁଥିବା ବ୍ୟକ୍ତି ବିଶେଷକରି କିଶୋରୀ ଏବଂ ମହିଳା ମାନେ ବାଡ଼ିରେ ହେଉଥିବା ଶାକ ସବଜି ଖାଇବା ଉପରେ ଗୁରୁତ୍ୱ ଦେଇଥିଲେ।

ପରିଷଦର ସଭାପତି ଶାନ୍ତନୁ କୁମାର ସର ଜୀବନକୁ ସୁଖମୟ କରିବା ପାଇଁ ସନ୍ତୁଳିତ ସୁଷମ ଖାଦ୍ୟ ଖାଇବା ଉପରେ ଗୁରୁତ୍ୱଦେବା ଏବଂ ଏକ ରକ୍ତହୀନତା ମୁକ୍ତ ଭାରତ ଗଠନ ଉପରେ ଗୁରୁତ୍ୱ ଦେଇଥିଲେ। ପରିଷଦର ସମ୍ପାଦକ ବିଜୟ ମୋଦି ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି କହିଥିଲେ। ସମାରୋହରେ ସଂସ୍କୃତି ପ୍ରମୁଖ ପ୍ରମୋଦ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉପସଭାପତି ଭରତ ଗଡ଼ନାୟକ, ମନ୍ମଥ ଦାସଙ୍କ ସମେତ ପୃଷ୍ଠପୋଷକ ବଜରଙ୍ଗ ଅଗ୍ରୱାଲ ଓ ଅନ୍ୟମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Share

Leave a Reply