ଅନୁଗୁଳ: ଅନୁଗୁଳ ପୌରପାଳିକା ୧୮ ନମ୍ବର ୱାର୍ଡର ଡ୍ରେନ ନିୟମିତ ସଫା ହେଉନଥିବାରୁ ଲୋକଙ୍କ ଘରେ ପାଣି ପଶିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ବି ମ୍ୟୁନିସିପାଲିଟି ପାଣି ନିଷ୍କାସନ ନ କରିବାରୁ ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।
ଫଳରେ ଆଜି ସକାଳେ ପୌରପାଳିକାର ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ନେତୃତ୍ଵରେ କର୍ମଚାରୀମାନେ ଯାଇ ଜେସିବି ସାହାଯ୍ୟରେ କେନାଲ ହୁଡ଼ାକୁ କାଟି ଡ୍ରେନ୍ ପାଣିକୁ କେନାଲକୁ ଛଡ଼ାଯାଇଛି। ପାଣି ନିଷ୍କାସନ ପରେ ବି କିଛି ଲୋକଙ୍କ ଘରେ ଡ୍ରେନ୍ ପାଣି ଥିବା ଦେଖିବାକୁ ମିଳିଛି।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଡ୍ରେନ ସଫା ନହେବା ଫଳରେ ମଶା ମାଛିଙ୍କ ଦୌରାତ୍ମ୍ୟ ବଢ଼ିଛି। ମଶା ତେଲ କି ମଶା ଧୂଆଁ କିଛି ଏଠାରେ ପଡୁନାହିଁ। କିଛି ଦିନ ପୂର୍ବରୁ ସ୍ଥାନୀୟ କାଉନସିଲର ଏ ସବୁ ସମସ୍ୟା ବାବଦରେ ଜାଣିଥିଲେ ମଧ୍ୟ ଚୁପ ଅଛନ୍ତି। ବୁଧବାର ସକାଳୁ ଡ୍ରେନ ଜାମ ହେବା ଫଳରେ ନରେଶ ମିଶ୍ର, ବୁଲୁ ମିଶ୍ର, ଉମେଶ ମହାନ୍ତି, ମୁକୁନ୍ଦ ପାଳ, ସଞ୍ଜିବ ପ୍ରଧାନ ଘରେ ଡ୍ରେନ ପାଣି ପଶି ବହୁ ଜିନିଷ ପତ୍ର ନଷ୍ଟ ହୋଇଛି। ଏ ନେଇ ପୌର କର୍ତ୍ତୃପକ୍ଷ ଓ ସ୍ଥାନୀୟ କାଉନସିଲରଙ୍କୁ ଜଣାଯାଇଥିଲେ ମଧ୍ୟ ସେ କିଛି କରିନଥିଲେ। ପରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମ୍ୟୁନିସିପାଲିଟି ଆସି କେନାଲରେ ନଳା ପାଣି ଛାଡ଼ିଥିବା ଜଣାଯାଇଛି।