ଅନୁଗୁଳ ବିଧାନସଭା ଆସନ ଉପରେ ୩ ଜଣଙ୍କ ନଜର

You are currently viewing ଅନୁଗୁଳ ବିଧାନସଭା ଆସନ ଉପରେ ୩ ଜଣଙ୍କ ନଜର

ଅନୁଗୁଳ: ୨୦୨୩ର ଶେଷ ଭାଗରେ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ହେବାର ଚର୍ଚ୍ଚା ସାଧାରଣରେ ଜୋର୍ ଧରୁଥିବା ବେଳେ ଏବେ ରାଜନୈତିକ ସ୍ତରରେ ହଲଚଲ ଆରମ୍ଭ ହେଲାଣି। ଯଦି ବା ବାହାରକୁ ସମୁଦ୍ର ଶାନ୍ତ ଦିଶୁଛି ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ ପୂର୍ବରୁ ତୃଣମୂଳକୁ ସଜାଡିବାରେ ବ୍ୟସ୍ତ ଅଛନ୍ତି। ପ୍ରାକ୍ ନିର୍ବାଚନ ଦୃଷ୍ୟପଟରେ ଯଦି ଅନୁଗୁଳ ବିଧାନ ସଭା ଆସନ କଥା ଦେଖାଯାଏ ଏଠି ଇତିହାସ ବିଜେଡି ସପକ୍ଷରେ ରହିଆସିଛି। ଅଦୈତ୍ ବାବୁଙ୍କ ସୁପୁତ୍ର ରଜନୀକାନ୍ତ ସିଂହଙ୍କ କବଜାରେ ଅନୁଗୁଳ ବିଧାନ ସଭା ଆସନ ରହିଥିବା ବେଳେ ତାଙ୍କ ସୁପୁତ୍ର ଅରୁଣାଭ ମଧ୍ୟ ଏବେ ରାଜନୀତିରେ ବେଶ ସକ୍ରିୟ ଅଛନ୍ତି। ଅନୁଗୁଳର ପ୍ରତିଟି ସଭା ସମିତିରେ ତାଙ୍କୁ ଦେଖିବାକୁ ମିଳୁଛି।

ତେବେ ବିଜେଡି ସରକାରରେ କେତେବେଳେ କାହାକୁ ନେଇ କୋଉଠି ଥୋଇଦିଆ ଯାଏ ତାହା ଜାଣିବା ମୁସ୍କିଲ ହୋଇପଡେ। ଗତ ପୌରନିର୍ବାଚନକୁ ଏକ ଉଦାହରଣ ଭାବେ ନିଆ ଯାଇ ପାରେ। ସେ ଦୃଷ୍ଟିକୋଣରୁ ଅନୁଗୁଳ ଆସନ ପାଇଁ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇସାରିଛି ଏବଂ ରାଜନୈତିକ ଅନ୍ଦର୍ ମହଲରେ ତିନି ଜଣଙ୍କ ଉପରେ ବିଶେଷ ନଜର ରଖାଯାଉଛି। ପ୍ରଥମ ଜଣକ ହେଲେ ବିଜେଡିର ଜଣେ ଯୁବ ନେତା।ସୋସିଆଲ ମିଡ଼ିଆରେ ବେଶ ସକ୍ରିୟ ଥିବା ଏହି ନେତା ଜଣକ ଏବେ ସାନ ଶଙ୍ଖ ଓ ବଡ଼ ଶଙ୍ଖ ମଧ୍ୟରେ ଭାରସାମ୍ୟ ରଖି ବାଟ ଚାଲୁଛନ୍ତି। ଉଚ୍ଚ ଅଭିଳାଷ ରଖିଥିବା ଏହି ନେତା ଏବେ ସମାଜ ସେବାରେ ମଧ୍ୟ ନିଜକୁ ବ୍ୟସ୍ତ ରଖିଛନ୍ତି। ଦ୍ଵିତୀୟ ଜଣକ ହେଲେ ଜଣେ ବ୍ୟବସାୟୀ ତଥା ଜିଲ୍ଲାର ଜଣେ ଆଗ ଧାଡ଼ିର ଶିକ୍ଷା ସଂଗଠକ । ରାଜନୀତିରେ ଅଭିଜ୍ଞତା ନ ଥିଲେ ମଧ୍ୟ ଅର୍ଥ ଓ ସଂଗଠନ ବେଶ ସୁଦୃଢ ଥିବାରୁ ତାଙ୍କ ନା ମଧ୍ୟ ଚର୍ଚ୍ଚାକୁ ଆସୁଛି। ତୃତୀୟ ଜଣକ ହେଲେ ଜଣେ ଅନୁଗୁଳ ମାଟିର ସନ୍ତାନ। ଜଣେ ଦକ୍ଷ ଓ ଲୋକପ୍ରିୟ ପ୍ରଶାସନିକ ଅଧିକାରୀ ଭାବେ ଅନ୍ୟ ଜିଲ୍ଲାରେ ଏବେ କାର୍ଯ୍ୟ କରୁଛନ୍ତି। ଦଳର ପ୍ରମୁଖ ତାଙ୍କ ଉପରେ ମଧ୍ୟ ଆଖି ପକାଇଛନ୍ତି। ଏଭଳି କ୍ଷେତ୍ରରେ ଫଳାଫଳ କଣ ହେବ ତାହା ଆଗାମୀ ସମୟ କହିବ ।

Leave a Reply