ଅନୁଗୁଳ: ଅନୁଗୁଳ ବନଖଣ୍ଡର ‘ଆମ ଜଙ୍ଗଲ ଯୋଜନା’ (AJY) ଟିମ୍ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ହିତାଧିକାରୀମାନଙ୍କୁ ସିଲେଇ ମେସିନ ବଣ୍ଟନ କରାଯାଇଛି। ଏହି ଅଭିନବ ପ୍ରୟାସ ମାଧ୍ୟମରେ ସ୍ଥାନୀୟ ବନବାସୀ ସମୁଦାୟର ଜୀବନଜୀବିକାରେ ଉନ୍ନତି ଆଣିବା ସହ ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାଧୀନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ବନଖଣ୍ଡର ଏକ ସ୍ୱତନ୍ତ୍ର ଟିମ୍ ଅନୁଗୁଳ ରେଞ୍ଜର କରାତପାଟା ସେକ୍ସନ ଅଧୀନରେ ଥିବା କରାତପାଟା VSS ଓ ବ୍ରହ୍ମପୁର VSS ପରିଦର୍ଶନ କରିଥିଲେ। ଏଥିସହ ବନ୍ତଳା ରେଞ୍ଜର ନୁଖୁରିପଦା VSS ଏବଂ ତାଳଚେର ରେଞ୍ଜର ରଙ୍ଗପୁର VSS ଅଞ୍ଚଳକୁ ଯାଇ ସେଠାରେ ରହୁଥିବା ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ମୋଟ ୨୮ଟି ସିଲେଇ ମେସିନ ଉପଯୁକ୍ତ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ତାଳଚେର ରେଞ୍ଜ ଅଫିସର ଚାରୁଲତା ନାୟକ ଏବଂ ବନ୍ତଳା ରେଞ୍ଜ ଅଫିସର ପ୍ରସନ୍ନ କୁମାର ସାହୁ ଉପସ୍ଥିତ ରହି ଲୋକଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସ୍ଥାନୀୟ କ୍ଷେତ୍ର କର୍ମଚାରୀମାନେ ଏହି କାର୍ଯ୍ୟକ୍ରମର ସୁପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
ଏହି ପଦକ୍ଷେପ ଦ୍ୱାରା ମହିଳାମାନେ ଘର ପାଖରେ ରହି ରୋଜଗାର କରିବା ସହ ନିଜେ ସଶକ୍ତ ହୋଇପାରିବେ। ଆୟ ବୃଦ୍ଧି ସହ ଏହା ଏକ ସମାବେଶୀ ଓ ଆତ୍ମନିର୍ଭରଶୀଳ ସମାଜ ଗଠନ ଦିଗରେ ସହାୟକ ହେବ ବୋଲି ବନ ବିଭାଗ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।



