ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଚମ୍ପତିମୁଣ୍ଡା ନିକଟରେ ଶନିବାର ସନ୍ଧ୍ୟାରେ ଗଛରେ ପିଟି ହୋଇ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି।
ସୂଚନା ମୁତାବକ, ନରସିଂହପୁର ଅଞ୍ଚଳର ଦୁଇ ଯୁବକ ଏକ ନାଲି ରଙ୍ଗର ବୁଲେଟରେ ସମ୍ବଲପୁରରୁ ନରସିଂହପୁର ଆଡ଼କୁ ଯାଉଥିଲେ। ବଡ଼କେରା ଛକରେ ଏକ ଦୋକାନରେ ସେମାନେ ଚା ପିଇବା ବେଳେ ସେଠାରେ ଝଗଡ଼ା କରିଥିଲେ।
ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଦୁଇ ଯୁବକ ମଦ୍ୟପାନ କରି ବଡକେରା ଠାରେ ଝଗଡା କରିବା ପରେ ଦ୍ରୁତ ବେଗରେ ବାଇକ ନେଇ ବନ୍ତଳା ଆଡ଼କୁ ଯାଇଥିଲେ। ଚମ୍ପତିମୁଣ୍ଡା ନବୋଦୟ ବିଦ୍ୟାଳୟ ସମ୍ମୁଖରେ ଥିବା ବାଙ୍କରେ ଗାଡିକୁ ବୁଲାଇ ପାରି ନଥିଲେ। ଫଳରେ ରାସ୍ତା ପାର୍ଶ୍ଵରେ ଥିବା ଏକ ଗଛରେ ପିଟି ହୋଇଥିଲେ। ଦୁଇ ଯୁବକ ଗାଡିରୁ ଛିଟିକି ପଡ଼ିଥିଲେ।ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବର ପାଇ ବନ୍ତଳା ପୁଲିସ ପହଞ୍ଚିଥିବା ଦୁଇ ମୃତ ଦେହକୁ ଜବତ କରିଛି।


