ଅନୁଗୁଳ: ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ତଥା ଧାନମଣ୍ଡିର ସମସ୍ୟାକୁ ନେଇ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବୁଧବାର ଅନୁଗୁଳ ଉପଜିଲ୍ଲାପାଳ ବୈତୁରା ଦୀପଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରଶାସନ ତଥା ରାଜ୍ୟ ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ନଦେଲେ ଆଗାମୀ ଦିନରେ ବିଜେପି ସମଗ୍ର ଜିଲ୍ଲାରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି।
ଦାବିଗୁଡ଼ିକ ମଧ୍ୟରେ ଧାନ ମଣ୍ଡିଗୁଡିକୁ ତୁରନ୍ତ ଖୋଲିବା ସହ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଶୃଙ୍ଖଳିତ ଭାବେ ଧାନ କିଣିବାର ବ୍ୟବସ୍ଥା କରିବା, କୃଷକ ରେଜିଷ୍ଟ୍ରେସନରେ ପାତର ଅନ୍ତର ନୀତି ତଥା ଅନିୟମିତତା ବନ୍ଦ କରିବା, ସେଣ୍ଟ୍ରାଲ ଟୋକନ ନାମରେ ସରକାରୀ ପ୍ରାୟୋଜିତ ଭ୍ରଷ୍ଟାଚାର ଓ ଚାଷୀ ମାରଣ ନୀତି ବନ୍ଦ କରିବା, ଚାଷୀଙ୍କ ମୁଣ୍ଡପିଛା ୬୦ କ୍ୱିଣ୍ଟାଲ ଧାନ ବିକ୍ରି କରିବା ନିଷ୍ପତ୍ତି ରଦ୍ଦ କରି ବିକ୍ରି ସୀମା ବୃଦ୍ଧି କରିବା ଆଦି ରହିଛି।
ଦାବିପତ୍ର ପ୍ରଦାନ ବେଳେ କୃଷକ ମୋର୍ଚ୍ଚା ସଭାପତି ବିଜୟ ମାଝୀ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁଦୀପ୍ତ ସ୍ୱାଇଁ, ଜିଲ୍ଲା ସମ୍ପାଦକ ସୋମନାଥ ରାଉତ, ବରିଷ୍ଠ ନେତା ଦିଲ୍ଲୀପ ଦାସ ଓ ପ୍ରଶାନ୍ତ ପୃଷ୍ଟି, କାଉନସିଲର କୈଳାସ ପ୍ରଧାନ, ମଣ୍ଡଳ ସଭାପତି ଅମୂଲ୍ୟ ପ୍ରଧାନ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶେଷଦେବ ସାହୁ, ବିନୋଦ ପ୍ରଧାନ, ବଙ୍କୁ ବେହେରା, ଚିତ୍ତରଞ୍ଜନ ଦାସ ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।