ଅନୁଗୁଳ: ରାଜକୋଷରୁ କୋଟି କୋଟି ଟଙ୍କା ହରିଲୁଟ୍ କରିଥିବା ଅଭିଯୋଗରେ ଶେଷରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କିରାଣି ସୁବ୍ରତ ବେହେରା। ନିଜ ପଦବୀର ଅପବ୍ୟବହାର କରି କୋଟିପତି ବନିଥିବା ଏହି ‘କରିତକର୍ମା’ କିରାଣିଙ୍କ ଘର ସମେତ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍।
ସୁବ୍ରତଙ୍କ ଅନୁଗୁଳ ସୁସୁଡ଼ାସ୍ଥିତ ବାସଭବନ, ଢେଙ୍କାନାଳ ଜିଲ୍ଲା ବାଉଁଶ ପୋଖରୀରେ ଥିବା ନିଜ ଘର, ବଅଁରପାଳସ୍ଥିତ ଶଶୁରଘର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟାଳୟରେ ଚାଲିଛି ଚଢ଼ଉ। ଭିଜିଲାନ୍ସର ୩ଟି ସ୍ୱତନ୍ତ୍ର ଟିମ୍ ଏହି ଅପରେସନରେ ସାମିଲ ଅଛନ୍ତି, ଯେଉଁଥିରେ ପ୍ରାୟ ୩୦ ଜଣ କର୍ମଚାରୀ ରହିଛନ୍ତି।
ସୂଚନାଯୋଗ୍ୟ ଯେ ଗତକାଲି ସୁବ୍ରତଙ୍କୁ ଦୀର୍ଘ ସମୟ ଧରି ଜେରା କରିବା ପରେ ଆଜି ଭୋରରୁ ଏହି ବଡ଼ ଧରଣର ଚଢ଼ାଉ କରାଯାଇଛି। ଅଭିଯୋଗ ଅନୁସାରେ, ହସ୍ପିଟାଲର ଆକାଉଣ୍ଟାଣ୍ଟ ଦାୟିତ୍ୱରେ ଥିବା ବେଳେ ସୁବ୍ରତ ଅତି ଚତୁରତାର ସହ ନିଜ ଦରମା ବଢ଼ାଇ ରାଜକୋଷରୁ ପ୍ରାୟ ୨.୫ କୋଟି ଟଙ୍କା ହରିଲୁଟ୍ କରିଥିଲେ।
କେବଳ ସେତିକି ନୁହେଁ, ଅନେକ ଡାକ୍ତରଙ୍କୁ ମଧ୍ୟ ସେ ଅର୍ଥ କାରବାରରେ ଚୂନା ଲଗାଇଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାମଲା ରୁଜୁ ହେବା ପରେ ସୁବ୍ରତ ଦୀର୍ଘ ସାଢ଼େ ୩ ମାସ ଧରି ଫେରାର ଥିଲେ। କିନ୍ତୁ ଆଇନର ହାତରୁ ବଞ୍ଚିବା ତାଙ୍କ ପାଇଁ ସମ୍ଭବ ହୋଇନାହିଁ।
ବର୍ତ୍ତମାନ ସୁଦ୍ଧା ଖାନତଲାସୀ ଜାରି ରହିଛି। ସୁବ୍ରତଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ କରାଯାଉଛି। ଏହି ବଡ଼ ଧରଣର ଆର୍ଥିକ ଅନିୟମିତତା ପଛରେ ଆଉ କାହାର ହାତ ଅଛି କି ନାହିଁ, ସେ ନେଇ ଭିଜିଲାନ୍ସ ତନାଘନା କରୁଛି।


