୩୩ ବର୍ଷରେ ଯୌବନଯୁକ୍ତ ଅନୁଗୁଳ: ଆଶା ଅସୁମାରୀ…..

You are currently viewing ୩୩ ବର୍ଷରେ ଯୌବନଯୁକ୍ତ ଅନୁଗୁଳ: ଆଶା ଅସୁମାରୀ…..

ଅନୁଗୁଳ: ଉତ୍କଳ ଦିବସ ଓ ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ କଲାବେଳେ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଅନେକ ଭାବନା ମନକୁ ଆସୁଛି। ୩୩ ବର୍ଷର ଜିଲ୍ଲା, ଗୋଟିଏ ଲମ୍ବା ରାସ୍ତା ଦେଇ ଅନୁଗୁଳ ବାସୀ ଆଗକୁ ଅଗ୍ରସର ହେଉଛନ୍ତି। ଅନେକ ଜିଲ୍ଲାର ଲୋକଙ୍କୁ ଏ ଜିଲ୍ଲା କୋଳେଇ ନେଇଛି। ଶିଳ୍ପ ସମୃଦ୍ଧ ପ୍ରାକୃତିକ ସମ୍ପଦରେ ଭରା ଏ ଅନୁଗୁଳ ଜିଲ୍ଲା। କଣ ପାଇଛୁ କଣ ପାଇନୁ ତାକୁ ନେଇ ତର୍ଜମା କରିବାର ସମୟ ଆସିଛି।

ଶିକ୍ଷା କଥା ଯଦି ଦେଖିବା ସରକାରୀ ସ୍କୁଲ ବନ୍ଦ୍ ହେଇଚି,ଘରୋଇ ସ୍କୁଲ ବଢ଼ିଛି।ସରକାରୀ ସ୍କୁଲ ରେ ଶିକ୍ଷକ ନାହାନ୍ତି,ଶିକ୍ଷକ ଥିଲେ ଖେଳ ପଡିଆ ନାହିଁ। ଅବଶ୍ୟ କୋଠା ବାଡ଼ି ହେଇଛି,ମଧ୍ୟାହ୍ନ ଭୋଜନ ମିଳୁଛି। ସ୍ବାସ୍ଥ୍ୟ କ୍ଷେତ୍ରରେ କିଛି ଆଖି ଦୃଶିଆ ସଫଳତା ମିଳିଛି । ହଁ-ନା ଭିତରେ ମେଡିକାଲ କଲେଜ ହେଇଛି। ଅନେକ ବିଶେଷଜ୍ଞ ଡାକ୍ତର ଆସିଛନ୍ତି। ମାଗଣା ଔଷଧ,ମାଗଣା ନିଦାନ ସେବା ମିଳୁଛି କୃଷି କ୍ଷେତ୍ର ରେ ସମ୍ପୂର୍ଣ୍ଣ ନିରାଶ ହେବାକୁ ପଡ଼ିଛି। ଫଳ, ପନି ପରିବା, ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆମ ଜିଲ୍ଲା ଆତ୍ମ ନିର୍ଭରଶୀଳ ହୋଇ ପାରି ନାହିଁ। ବେଙ୍ଗଲ ଆଳୁ,ନାସିକ୍ ପିଆଜ,ଆନ୍ଧ୍ର କଦଳୀ ନହେଲେ ଆମ ଦିନ ବିତେନା।

ଜଳ ସେଚନ ବ୍ୟବସ୍ଥାରେ ଉନ୍ନତି ମଧ୍ୟ ନାହିଁ। ସବୁଠାରୁ ଖତରନାକ ପରିସ୍ଥିତି ଆମ ପରିବେଶକୁ ନେଇ। ଜିଲ୍ଲାରେ ବାୟୁ ପ୍ରଦୂଷଣ ଯୋଗୁଁ  ଆମକୁ ବହୁ ବଦନାମ ମୁଣ୍ଡାଇବାକୁ ପଡ଼ିଛି। ଖଣି-ଖାଦାନ ବଢ଼ିଛି କିନ୍ତୁ ଜିଲ୍ଲାର ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉନାହିଁ। ପର୍ଯ୍ୟଟନ କ୍ଷେତ୍ର ରେ ଦେଖିବାକୁ ଗଲେ ଏହାର ଉନ୍ନତି ପାଇଁ ମିଟିଂ ହେଉନାହିଁ। ଅବଶ୍ୟ ୨୦୨୬ ରେ ଡେରଜାଙ୍ଗରେ ଉନ୍ନତ ଜଳକ୍ରୀଡା ସେଣ୍ଟର୍ ଖୋଲିବା ଆମ ପାଇଁ କାଣିଚାଏ ଆଶ୍ୱାସନା ଦେଇଛି ସତ କିନ୍ତୁ ଜିଲ୍ଲା ବାହାରୁ ଟୁରିଷ୍ଟ ଆସିବା ପାଇଁ ସେଭଳି କିଛି ବନ୍ଦୋବସ୍ତ ନାହିଁ।

କ୍ରୀଡା କ୍ଷେତ୍ରରେ ଷ୍ଟାଡିୟମ ଟେ ନଥାଇ କିଛି ପ୍ରତିଭାସମ୍ପନ୍ନ ଆଥଲେଟ୍ ନିଜ ଦୃଢ଼ ଇଚ୍ଛା ଶକ୍ତି ବଳରେ ରାଜ୍ୟରେ ନାଁ କମାଇଛନ୍ତି। କ୍ରିକେଟ ରେ ମଧ୍ୟ କିଛି ଯୁବ ଖେଳାଳି ରାଜ୍ୟ ରେ ସୁନାମ ଅର୍ଜନ କରିଛନ୍ତି। ଷ୍ଟାଡିୟମ୍ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି କ୍ରୀଡ଼ାପ୍ରେମୀ ଆଶା ରଖିଛନ୍ତି। ଅନୁଗୁଳ ସହର କିନ୍ତୁ ପୂର୍ବ ବର୍ଷ ମାନଙ୍କ ଠାରୁ ଅଧିକ ସଫା ସୁତରା, ଆଲୋକମୟ ହେଇଛି। ଗତ ଏକ ବର୍ଷ ମଧ୍ୟରେ ବହୁ ମୋବାଇଲ ଓ ବାଇକ୍ ଚୋରଙ୍କୁ ଧରା ଯାଇଛି।ବ୍ରାଉଁନସୁଗର  ଓ ବେଆଇନ କଫ ସିରପ ରାକେଟକୁ ଧରି ପୋଲିସ ଅନେକ ସଫଳତା ସାଉଁଟିଛି।

ସାହିତ୍ୟ କ୍ଷେତ୍ରରେ କବୟିତ୍ରୀ ଇନ୍ଦିରା ଦାଶ ଓ ଅନୁବାଦକ ଦିନେଶ ମାଲିଙ୍କୁ ଅନେକ ସମ୍ମାନ ମିଳିଛି। ମୋଟ ଉପରେ କହିବାକୁ ଗଲେ ଯୌବନଯୁକ୍ତ ଅନୁଗୁଳ ଅନେକ ଆଶା ଓ ସମ୍ଭାବନାର ରାସ୍ତା ଦେଇ ଆଗକୁ ଯିବାପାଇଁ ଉଦ୍ୟମ ଜାରି ରଖିଛି। ଅନୁଗୋଳବାସୀ ଅନେକ ସୁଖ ସମୃଦ୍ଧି ର ଅଧିକାରୀ ହୁଅନ୍ତୁ ମା ବୁଢୀଙ୍କ ନିକଟରେ ଏତିକି ପ୍ରାର୍ଥନା।

Share

Leave a Reply