ଅନୁଗୁଳ: ଆସନ୍ତା ୯ ତାରିଖରେ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଙ୍ଘର ନିର୍ବାଚନ ହେଵାକୁ ଯାଉଛି। ଏଥିନେଇ ନାମାଙ୍କନ ପତ୍ର ଦାଖଲ ହୋଇ ନଥିଲେ ମଧ୍ୟ ପ୍ରଚାର ଆରମ୍ଭ ହୋଇଗଲାଣି। ସନ୍ଧ୍ୟାରେ ସମ୍ଭାବିତ
ପ୍ରାର୍ଥୀମାନେ ଘରକୁ ଘର ବୁଲି ଭୋଟରଙ୍କୁ ମନାଉ ଥିବା ବେଳେ ରାତିରେ କକଟେଲ ଡିନର ପାର୍ଟି ଆୟୋଜିତ ହେଉଛି। ଏହି ନିର୍ବାଚନ ପାଇଁ ପ୍ରାର୍ଥୀମାନେ ନିଜ ନିଜର ଚେନ ଗଢି ଲଢ଼ିବାକୁ ପସନ୍ଦ କରୁଛନ୍ତି।
ମିଳିଥିବା ସୂଚନା ଅନୁସାରେ ବିଭୂତି ଦାସ ଓ ଅକ୍ଷୟ କୁମାର ସାମନ୍ତ ଯଥାକ୍ରମେ ସଭାପତି ଓ ସମ୍ପାଦକ ପଦ ପାଇଁ ଲଢ଼ିବାକୁ ପସନ୍ଦ କରିଛନ୍ତି। ଏମାନେ ଦୀର୍ଘ ଦିନ ହେବ କ୍ଷମତାରେ ରହି ସଦସ୍ୟଙ୍କ ପାଇଁ ଯାହା କରିବା କଥା ତାହା କରିନାହାନ୍ତି। ଦୁର୍ନୀତି ହିଂସାମୁକ୍ତ ଶାସନ ଦେବେ ବୋଲି ବିଭୁତି ଦାସଙ୍କ ଚେନର ଲୋକେ କହୁଛନ୍ତି। ଅମ୍ବିକା ଭଟ୍ଟ ଚେନରେ କିଏ ଅଛନ୍ତି ଏବଂ କେଉଁ ଆଭିମୁଖ୍ୟ ନେଇ ସେମାନେ ଭୋଟରଙ୍କୁ ସମ୍ମୁଖୀନ ହେଵେ ତାହା ସ୍ପଷ୍ଟ ହୋଇନାହିଁ।
ଅନ୍ୟ ପକ୍ଷରେ ଯୁବ ନେତା ଅମରେଶ ସ୍ୱାଇଁ ଓ ରଜତ ମହାପାତ୍ରଙ୍କ ଚେନ ନୂଆ ପୁରୁଣା ମୁହଁ ନେଇ ଲଢେଇ ମୈଦାନକୁ ଓଲ୍ହାଇଛନ୍ତି। ବିନା ପାତର ଅନ୍ତରରେ ଲୋଡିଂ ଦେବା, ସିମେଣ୍ଟ ଲୋଡିଂ ପାଇଁ ଜେଏସପିଏଲ ସହ ଚୁକ୍ତି କରାଇବା,ଗଣେଶ ସ୍ପଞ୍ଜ ଓ ଶ୍ରୀମେଟାଲିକରୁ ଲୋଡିଂ ଆଣିବା, ଆଲୁମିନିୟମ ଭଡାରେ ବୃଦ୍ଧି କରାଇବା, ଅନୁଗୁଳର ବିକାଶ ପାଇଁ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟ କରିବା,ନାଲକୋ ୱାଗନ ଲୋଡିଂ କମେଇ ଟ୍ରକ ଲୋଡିଂ ବୃଦ୍ଧି କରିବା ଆଦି କାର୍ଯ୍ୟକରିବେ ବୋଲି ଅମରେଶ ସ୍ୱାଇଁ ପ୍ରକାଶ କରିଛନ୍ତି।
ଏହାଛଡା ଆସୋସିଏସନ ଜାଗା ଆସୋସିଏସନ ନାଁରେ ଦୀର୍ଘ ଦିନ ହେବ ହୋଇନାହିଁ। ଏଥିପାଇଁ ସେ ଦୃଷ୍ଟି ଦେଵେ ବୋଲି ଶ୍ରୀ ସ୍ବାଇଁ ପ୍ରକାଶ କରିଛନ୍ତି। ମୋଟ ଉପରେ ନିର୍ବାଚନ ନେଇ ସମ୍ପ୍ରତି ଛକା ପଞ୍ଝା ଚାଲି ଥିବା ବେଳେ ଚଳିତ ନିର୍ବାଚନରେ ପୁରୁଣା ମୁଣ୍ଡି କର୍ମକର୍ତା ବଦଳିବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି।