ହୋହଲ୍ଲା ମଧ୍ୟରେ ଶେଷ ହେଲା ଦୁଇ ମାସ ପରେ ବସିଥିବା ପୌରପାଳିକା ବୈଠକ, ନବ ବାବୁଙ୍କ ତ୍ରୁଟିପୂର୍ଣ୍ଣ ମୂର୍ତ୍ତିକୁ ନିନ୍ଦା
ଅନୁଗୁଳ: ଆଜି ଅନୁଗୁଳ ପୌରପାଳିକା ସଭା କକ୍ଷରେ ପୌରପାଳିକା ପକ୍ଷରୁ ବୈଠକ ଆୟୋଜିତ ହୋଇଛି। ତେବେ ବୈଠକରେ କିଛି ଆଲୋଚନା ହୋଇପାରିନାହିଁ। ହୋ ହଲ୍ଲାରେ ବୈଠକ ଶେଷ ହୋଇଛି। ଦୁଇ ମାସ ଧରି ବୈଠକ ବସିନଥିବାରୁ ଆଜିର ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଥିଲା। କିନ୍ତୁ ଆରମ୍ଭରୁ ହିଁ ପାରିଷଦମାନେ ନବ ବାବୁଙ୍କର ତ୍ରୁଟିପୂର୍ଣ୍ଣ ପ୍ରତିମୂର୍ତ୍ତିକୁ ନେଇ ହୋ ହଲ୍ଲା କରିଥିଲେ। କୌଣସି ପାରିଷଦଙ୍କୁ ମୂର୍ତ୍ତି ନେଇ ସୂଚନା ଦିଆଯାଇନଥିବା ବେଳେ ସାଧାରଣରେ ପରିଷଦକୁ ନିନ୍ଦିତ ହେବାକୁ ପଡ଼ିଥିଲା। ଏହି ଘଟଣାରେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପ୍ରସ୍ତାବ ଦିଆଯାଇଥିଲା।
ପରିଷଦକୁ ଇତି ମଧ୍ୟରେ ବର୍ଷେ ପୂରିବାକୁ ବସିଥିଲେ ମଧ୍ୟ ବିଭିନ୍ନ ୱାର୍ଡରେ କାମ ସନ୍ତୋଷ ଜନକ ହୋଇନାହିଁ ବୋଲି ଅଭିଯୋଗ ହୋଇଥିଲା। ନିର୍ବାହୀ ଅଧିକାରୀ ଅନୁପସ୍ଥିତ ଥିବାରୁ ଏମଇ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ।ସେହିପରି ଦୀର୍ଘ ଦିନ ହେବ ପାଣି ଏଟିଏମ୍ ଚାଲୁ ହୋଇ ନଥିବାରୁ ଓ ଆଲୋକୀକରଣ ଠିକ ଢଙ୍ଗରେ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା।
ବୈଠକରେ ଅଧ୍ୟକ୍ଷ ଅକ୍ଷୟ ସାମନ୍ତଙ୍କ ସମେତ ପାରିଷଦ କଇଁ ପ୍ରଧାନ, ସୁକାନ୍ତି ଦାସ, ରଞ୍ଜିତ ମାଣ୍ଡୋଠିଆ ପ୍ରମୁଖ ଉପସ୍ଥିତ ଥିଲେ।