ଅନୁଗୁଳ: ହାଇୱେ ଡକାୟତି ଯୋଜନାକୁ ଭଣ୍ଡୁର କଲା ଅନୁଗୁଳ ପୁଲିସ। ରାତ୍ରି ପାଟ୍ରୋଲିଂ ବେଳେ ପୁଲିସ ପଞ୍ଝାରେ ୮ ଜଣିଆ ଡକାୟତ ଗ୍ୟାଙ୍ଗ।
ସୂଚନା ମୁତାବକ, ଅନୁଗୁଳ ଟାଉନ ଥାନା ପୁଲିସ ୮ ତାରିଖ ରାତ୍ରି ପାଟ୍ରୋଲିଂ ସମୟରେ କିଛି ଅସାମାଜିକ ବ୍ୟକ୍ତି ଡକାୟତି ଉଦ୍ଦେଶ୍ୟରେ ବୁଲିଥିବା ଖବର ପାଇଥିଲେ। ସୂଚନା ପାଇ ପୋଲିସ ପାଟ୍ରୋଲିଂ ଦଳ ଅନୁଗୁଳ ଟାଉନ୍ ଅଞ୍ଚଳରେ ସେମାନଙ୍କୁ ଖୋଜାଖୋଜି କରି ହେମସୁରପଡ଼ା ଛକରେ ପାଇଥିଲା। ପୋଲିସ ଦଳକୁ ଦେଖି ସେମାନେ ରାଜ ହୋଟେଲ ଛକ ଦେଇ ଖସିଯିବାକୁ ଚେଷ୍ଟା କରିଥିଲେ। ହେଲେ ପୋଲିସ ଭୋର ୪ଟାରେ ହାଟ ଛକ ନିକଟସ୍ଥ ଅନୁଗୁଳର ପୁରୁଣା ଗୋରୁ ହାଟ ଭିତରରୁ ସମସ୍ତ ୦୮ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା।
ଗିରଫମାନେ ହେଲେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ଅଙ୍ଗାରବନ୍ଧ ଗାଁର ପାର୍ଥ ସାରଥୀ ପ୍ରଧାନ (୨୫), ବବୁଲ ପ୍ରଧାନ (୧୮), ଦିଲ୍ଲୀପ ସାହୁ (୨୨), ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ହୁଲସୁରିଙ୍ଗା ଘାସିସାହିର ସୁଜାଲ ଓରଫ ବୁଦ୍ଧ ମୁଖୀ (୧୯), ଘୁଞ୍ଚାପାଳ ଗାଁର ସୌମ୍ୟ ଓରଫ ସମୟ ନାଏକ(୨୨), ବନ୍ତଳା ଥାନା ଅନ୍ତର୍ଗତ କଲେଇପଦା ଗାଁର ତନ୍ମୟ ନାଏକ ଓରଫ ମଣ୍ଟୁ (୨୧)ଏବଂ ମାଣପୁର ଗାଁର ସିଲୁ ଓରଫ ଜଗନ ନାଏକ (୧୯), ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ପୋଡ଼ାପଡ଼ା ଗାଁର ମିଲନ୍ ଓରଫ ରୁଦ୍ର ନାରାୟଣ ଭୂତିଆ (୨୫)। ସେମାନଙ୍କ ନିକଟରୁ ଏକ ଧଳା ରଙ୍ଗର ସ୍କୋର୍ପିଓ (OR02AB-6115) ଏବଂ ଏକ ଥାର୍ (OD21-E-0018) ଜବତ ହୋଇଛି।
ଏଥିସହ ଚାରିଟି ଦେଶୀ ନିର୍ମିତ ୭ ଏମଏମ ପିସ୍ତଲ, ଚାରିଟି ୭ ଏମଏମ କେଏଫ ଜୀବନ୍ତ ଗୁଳି, ୨ଟି ଷ୍ଟିଲ୍ ଚାପଡ଼, ଗୋଟିଏ ଲୁହା କୁରାଢ଼ି, ନଗଦ ୭୦୦୦ ଟଙ୍କା, ୭ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି। ସାମ୍ବାଦିକ ସମ୍ମିଳନୀ କହି ଏନେଇ ସୂଚନା ଦେଇଛି ଅନୁଗୁଳ ପୋଲିସ।