ଅନୁଗୁଳ: ଚଳିତ ମାସ ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜିଉଙ୍କର ପବିତ୍ର ରଥଯାତ୍ରାର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳ ଅବଦାର ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାକାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆଜି ଅପରାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚଳିତ ମାସ ୨୭ ତାରିଖ ଠାରୁ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଗୁଣ୍ଡିଚାଯାତ୍ରା ଓ ଜୁଲାଇ ୫ ତାରିଖରେ ହେବାକୁ ଥିବା ବାହୁଡ଼ା ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି। ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ବିଶେଷ ଯତ୍ନବାନ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ବୈଠକରେ ଆରକ୍ଷୀ ଅଧୀକ୍ଷକ ରାହୁଳ ଜୈନ ଯୋଗ ଦେଇଥିଲେ।
ପ୍ରାରମ୍ଭରେ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ହେମନ୍ତ କୁମାର ଦାସ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ଚଳିତ ବର୍ଷର ରଥଯାତ୍ରାକୁ ସୁଚାରୁରୂପେ ପରିଚାଳନା କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହାପରେ ଜିଲ୍ଲାପାଳ ନିର୍ଦ୍ଧାରିତ ସମୟ ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନିରାପତ୍ତା ପ୍ରମାଣ ପତ୍ର ପ୍ରଦାନ କରିବାକୁ ଦାୟିତ୍ବରେ ଥିବା ଅନୁଗୁଳ ଉପଜିଲ୍ଲାପାଳ ଓ ପୂର୍ତ୍ତ ବିଭାଗର ନିର୍ବାହୀଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ଆରକ୍ଷୀ ଅଧୀକ୍ଷକଙ୍କୁ
ପରାମର୍ଶ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଅନୁଗୁଳ ପୌରପାଳିକାର ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ, ଅନୁଗୁଳ ପୌରପାଳିକାର ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ, ମନ୍ଦିର ପରିଚାଳନା କମିଟିର ସଦସ୍ୟ ଭବାନୀ ପ୍ରସାଦ ମିଶ୍ର, ଆନନ୍ଦ ଚନ୍ଦ୍ର ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ତଥା ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।