ଅନୁଗୁଳ: ଜାପାନରେ ପ୍ରତିଭା ପ୍ରଦର୍ଶନ କଲେ ଅନୁଗୁଳ ଛାତ୍ର।ଅନୁଗୁଳ ଚମ୍ପତିମୁଣ୍ଡାସ୍ଥିତ ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଏକାଦଶ ଶ୍ରେଣୀର ଛାତ୍ର ତେଜସ ଦାଶ ଜାପାନର ଟୋକିଓରେ ଆୟୋଜିତ ସାକୁରା ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ଫେରିଛନ୍ତି।
ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଶିକ୍ଷା ମନ୍ତ୍ରଣାଳୟ ଓ ଜାପାନ ସରକାରଙ୍କ ମିଳିତ ସହଯୋଗିତାରେ ଆୟୋଜିତ ହୋଇଥିଲା। ଭାରତର ୧୦ ନବୋଦୟ ଛାତ୍ରୀଛାତ୍ର ଏବଂ ଶତାଧିକ ପ୍ରେରଣା ସ୍କଲାରଙ୍କ ମଧ୍ୟରୁ ୯ ଜଣ ଏହି କାର୍ଯ୍ୟକ୍ରମରେ ପ୍ରତିନିଧିତ୍ୱ କରିଥିଲେ। ଏହି ପ୍ରତିଭାଗୀ ମାନେ ଅକ୍ଟୋବର ୧୮ରୁ ୨୬ ତାରିଖ ପର୍ଯ୍ୟନ୍ତ ଜାପାନର ବିଭିନ୍ନ ବିଶ୍ୱବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ ଓ ସ୍କୁଲମାନ ପରିଭ୍ରମଣ କରି ଜ୍ଞାନ ଆହରଣ କରିବା ସହ ଭାରତର ସଂସ୍କୃତି, ସଭ୍ୟତା ଓ ଜ୍ଞାନ ଗରିମାର ଉପସ୍ଥାପନ କରିଥିଲେ। ଭାରତୀୟ ପ୍ରତିଭାଗୀମାନେ ଜାପାନର ସୁଚିଉରା ଫାଷ୍ଟ ହାଇସ୍କୁଲ ପିଲାମାନଙ୍କ ସହ ମିଶି ଏକ ଡ୍ରୋନ ତିଆରି କରି ଉଡ଼ାଇବା ସହ ଏକ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ ମ୍ୟାଚ ଖେଳିଥିଲେ।
ଅନୁଗୁଳ ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ତେଜସ ଓଡ଼ିଶାରୁ ଏକମାତ୍ର ପ୍ରତିଭାଗୀ ଭାବେ ଦେଶର ପ୍ରତିନିଧିତ୍ୱ କରିଥିବାରୁ ବିଦ୍ୟାଳୟ ଅଧ୍ୟକ୍ଷ ସିଦ୍ଧାର୍ଥ ଶଙ୍କର ବରାଳ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନବୋଦୟ ବିଦ୍ୟାଳୟର ଗଣିତ ଶିକ୍ଷକ ପ୍ରକାଶ କୁମାର ଦାଶ ଓ ଡିଏଭି ଅନୁଗୁଳର ସାମାଜିକ ବିଜ୍ଞାନ ଶିକ୍ଷୟିତ୍ରୀ ଲୋପାମୁଦ୍ରା ମିଶ୍ରଙ୍କ ଏକମାତ୍ର ପୁତ୍ର ତେଜସ ପୂର୍ବରୁ ମଧ୍ୟ ବହୁ କୃତିତ୍ୱ ହାସଲ କରିବା ସହ ୨୦୨୨ ମସିହାରେ ସ୍ପେସ କିଡ୍ସ ତରଫରୁ ଯୁବ ବିଜ୍ଞାନୀ ପୁରସ୍କାର ପାଇଥିଲେ।