ଅନୁଗୁଳ: ଅନୁଗୁଳ ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଗୁରୁବାର ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଅଧ୍ୟକ୍ଷତାରେ ଦିଶା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲାର ପାନୀୟ ଜଳ ଯୋଗାଣ, ରେଳ ଯୋଗାଯୋଗ, ଟେଲି ଯୋଗାଯୋଗ ନେଇ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା । ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ବୈଠକରେ ସଦସ୍ୟମାନେ ଉଦ୍ବେଗ ପ୍ରକାଶ କରିଥିଲେ। ବିଶେଷକରି ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥର ଦୂରାବସ୍ଥା ଓ ବିଭିନ୍ନ ରେଳ ପ୍ରକଳ୍ପର ମନ୍ଥର ଅଗ୍ରଗତି ନେଇ ଚିନ୍ତା ପ୍ରକାଶ କରିଥିଲେ ସଦସ୍ୟ। ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ଏ ପର୍ଯ୍ୟନ୍ତ ଶେଷ ହେଉନି। ତେଣୁ ଲୋକମାନେ ବିଭିନ୍ନ ସମସ୍ୟାରେ ପଡ଼ୁଛନ୍ତି। ଅନୁଗୁଳ ସହର ଭିତରେ ଯାଇଥିବା ରାଜପଥ ତୁରନ୍ତ ମରାମତି କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହି ରାସ୍ତାକୁ ହସ୍ତାନ୍ତର କରିବା ପରେ ତୁରନ୍ତ ଏହାର ନିର୍ମାଣ ପାଇଁ ଟେଣ୍ଡର କରାଯିବ। ୩ ମାସ ଭିତରେ ଏହି ରାସ୍ତା ଆରମ୍ଭ କରି ଯଥାଶୀଘ୍ର ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ସେହିପରି ଅନୁଗୁଳର ବିଭିନ୍ନ ନିର୍ମାଣଧୀନ ରେଳ ପ୍ରକଳ୍ପ ପାଇଁ ଜମି ଯୋଗାଣ ଉପରେ ଗୁରୁତ୍ବ ଦିଆଯାଇଥିଲା। ନିର୍ମାଣାଧୀନ ରେଳ ପ୍ରକଳ୍ପ ପାଇଁ ୨୦୨୨ ମାର୍ଚ୍ଚ ସୁଦ୍ଧା ଜମି ଯୋଗାଇଦେବାକୁ ନିଷ୍ପତି ହୋଇଥିଲା। ଜିଲ୍ଲାରେ ବିଏସଏନଏଲ ସେବା ନିମ୍ନମାନର ନେଇ ଅଭିଯୋଗ ଉଠିଥିଲା। ଗ୍ରାମାଞ୍ଚଳରେ ମୋବାଇଲ ନେଟୱାର୍କ ବଢାଇବା ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଥିଲା। ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଲିଥିବା ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଗ୍ରଗତି ନେଇ ମଧ୍ୟ ଆଲୋଚନା କରିଥିଲେ ସଦସ୍ୟ। ଛେଣ୍ଡିପଦା, ତାଳଚେର ଓ କଣିହାଁ ବ୍ଲକରେ ଏହି ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ଆଠମଲ୍ଲିକ ପାଇଁ ୨୧୪ କୋଟି ଓ କିଶୋରନଗରରେ ପାଇଁ ୨୫୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ୨୦୨୩ ମସିହା ସୁଦ୍ଧା ଜିଲ୍ଲାର ସବୁ ଗାଁରେ ଯେମିତି ବିଶୁଦ୍ଧ ପାନୀୟ ଜଳ ପହଞ୍ଚିଥିବା ତାହା ସୁନିଶ୍ଚିତ କରିବାକୁ ବୈଠକରେ ମତପ୍ରକାଶ ପାଇଥିଲା। ଏହି ବୈଠକରେ କିଛି ବିଭାଗର ଅଧିକାରୀମାନେ ଉପସ୍ଥିତ ନ ଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ଜିଲ୍ଲା ପରିଷଦ ସଭାନେତ୍ରୀ ବାସନ୍ତୀ କିସାନ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଅଗସ୍ତି ବେହେରା, ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ଦିଲୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ମାର୍ଚ୍ଚ ସୁଦ୍ଧା ଅନୁଗୁଳ-ସମ୍ବଲପୁର ରାସ୍ତା ସାରିବାକୁ ନିର୍ଦେଶ
- Post published:September 24, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul