ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଫୁଲପଡ଼ା ଛକ ନିକଟରେ ଏକ ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟିଛି। ବିଳମ୍ବିତ ରାତିରେ ମୂଷାପାପୁଲି ଗାଁର କାହ୍ନା ପ୍ରଧାନ ନିଜ କାମ ସାରି ବାଇକ୍ ଯୋଗେ ଶ୍ୱଶୁର ଘର କଂସରାକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି।
ସୂଚନା ମୁତାବକ, ରାତି ପ୍ରାୟ ୧୨ଟା ସମୟରେ ଫୁଲପଡ଼ା ରାସ୍ତାର ଏକ ନିଛାଟିଆ ସ୍ଥାନରେ ଚାରି ଜଣ ଅଜଣା ଦୁର୍ବୃତ୍ତ ତାଙ୍କ ବାଟ ଓଗାଳିଥିଲେ। ଲୁଟେରାମାନେ ମାରଣାସ୍ତ୍ର ଦେଖାଇ କାହ୍ନାଙ୍କୁ ଭୟଭୀତ କରିବା ସହ ତାଙ୍କ ମୋବାଇଲ୍, ପର୍ସ ଓ ଏଟିଏମ୍ କାର୍ଡ ଛଡ଼ାଇ ନେଇଥିଲେ। ଏପରିକି ଜୀବନର ଭୟ ଦେଖାଇ ସେମାନେ ଏଟିଏମ୍ ପିନ୍ ନମ୍ବର ହାସଲ କରିଥିଲେ। ପରେ ଦୁର୍ବୃତ୍ତମାନେ ତାଙ୍କର OD-35-A-4366 ନମ୍ବର ବିଶିଷ୍ଟ ବାଇକ୍ ଧରି ଫେରାର ହୋଇଯାଇଥିଲେ। ଲୁଟ୍ ପରେ କାହ୍ନାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୯,୯୦୦ ଟଙ୍କା ଉଠାଯାଇଥିବା ଜଣାପଡ଼ିଛି।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବଅଁରପାଳ ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହଙ୍କ ସୂଚନା ଅନୁଯାୟୀ, କେସ ନମ୍ବର ୧୮୭/୨୬ ରେ ଏକ ମାମଲା ରୁଜୁ କରାଯାଇଛି। ମହୀଧରପୁର ଫାଣ୍ଡି ପୋଲିସ ଏହି ଘଟଣାରେ ସଂପୃକ୍ତ ଲୁଟେରାଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।



