କଥାରେ ଅଛି ବୟସ କେବଳ ମାତ୍ର ଏକ ନମ୍ବର। ନିର୍ଦ୍ଦିଷ୍ଟ ବୟସରେ ନିର୍ଦ୍ଦିଷ୍ଟ କାମ କରିବାକୁ ପୁରାଣ ଶାସ୍ତ୍ରରେ କୁହାଯାଉଛି। ସେଥିପାଇଁ କେଉଁ ବୟସରେ ମଣିଷ କଣ କରିବା ଆବଶ୍ୟକ, ସେନେଇ ବେଦରେ ବି ବର୍ଣ୍ଣିତ। ଜନ୍ମ ପରେ ଶିଶୁର ମସ୍ତିଷ୍କ ଧୀରେ ଧୀରେ ବିକଶିତ ହୋଇଥାଏ। ସେହି ଅନୁଯାୟୀ ଶିଶୁଟି ପ୍ରଥମେ ପେଟାଏ, ଗୁରୁଣ୍ଡେ, ଆଣ୍ଠାଏ ଆଉ ଧୀରେ ଧୀରେ ଚାଲି ଶିଖେ। ଚାଲିବା ବୁଲିବା ପରେ ଆରମ୍ଭ ହୋଇଯାଏ ପାଠପଢ଼ା। ଆଉ ତା ପରେ ଚାକିରି କରି ସଂସାର ରଥକୁ ଆଗେଇ ନିଆଯାଏ। ପିଲାବେଳୁ ଆମେ ଏହି ଧାରାରେ ବଢ଼ିଛେ। ଅବସର ବେଳକୁ ଘର ଖଣ୍ଡେ କରିବା ଅନେକଙ୍କର ସ୍ୱପ୍ନ ଥାଏ। ସ୍ୱଳ୍ପ ଆୟରେ ଅଧିକାଂଶ ଲୋକ ସେତକ ବି କରିପାରନ୍ତି ନାହିଁ। ପୂର୍ବରୁ ଲୋକଙ୍କ ଜୀବନଧାରା ଏଭଳି ଢଙ୍ଗରେ ଚାଲିଥିଲା।
ହେଲେ ଏବେ ସମୟ ବଦଳିଛି। ଆଉ ଯୁଗ ସହ ତାଳ ଦେଇ ବଦଳିଛି ଆମ ଜୀବନଶୈଳୀ। ଆଗ ଭଳି ଆଉ ଆଜିକା ପିଲା ବୟସ ସହ ବଢୁ ନାହାନ୍ତି। ବରଂ କମ୍ ବୟସରେ ବି ଢେର ଜ୍ଞାନ ସାଉଁଟୁଛନ୍ତି। ଆଉ ୩୦ ବର୍ଷ ବେଳକୁ ସଫଳତାର ଶୀର୍ଷରେ ପହଞ୍ଚୁଛନ୍ତି। ଅନେକ ଯୁବକ ୩୦ ନ ଛୁଇଁବା ଆଗକୁ ଦାମୀ ଗାଡ଼ି, ବଡ଼ ଘର ବି କରିଲେଣି। ବୟସ ଏମାନଙ୍କ ପାଇଁ କେବଳ ଯେ ଏକ ନମ୍ବର ବା ସଂଖ୍ୟା, ତାହାକୁ ପ୍ରମାଣ କରିଛନ୍ତି ଆଜିକା ଯୁବଗୋଷ୍ଠୀ।
କମ୍ ବୟସରୁ ଅନେକ ସଫଳତା ହାତେଇଛନ୍ତି ବର୍ତ୍ତମାନର ଆଧୁନିକ ପିଲା। ଯେଉଁ ଘର ଖଣ୍ଡେ କରିବାକୁ ଆଗରୁ ଲୋକଙ୍କୁ ପୂରା ଆୟୁଷ ଲାଗି ଯାଉଥିଲା, ସେମିତି ଘର ଏବେ ଖୁବ କମ୍ ବୟସରେ କରୁଛନ୍ତି ଏବେକା ଯୁବକ। ସବୁଠୁ ବଡ଼ କଥା ହେଉଛି ଆଜିକାଲିର ପିଲା ଗୋଟିଏ ରୋଜଗାରରେ ସୀମିତ ନାହାନ୍ତି। ଗୋଟିଏ ସମୟରେ ଏକାଧିକ କାମ କରିବା ଓ ଅଧିକ ଉପାର୍ଜନ କରିବାକୁ ଆଗ୍ରହୀ ସେମାନେ। ହାର୍ଡ ୱାର୍କ ବା କଠିନ ପରିଶ୍ରମ ବଦଳରେ ସ୍ମାର୍ଟ ୱାର୍କ କରିବାକୁ ସେମାନେ ଅଧିକ ପସନ୍ଦ କରନ୍ତି। କମ୍ ବୟସରୁ ହିଁ ଜୀବନରେ କଣ ପାଇବାର ଅଛି, ତାହା ସେମାନେ ସ୍ଥିର କରିନିଅନ୍ତି। ଫଳରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ତାଙ୍କ ପକ୍ଷେ ସହଜ ହୋଇଯାଏ। ବର୍ତ୍ତମାନର ଯୁବପିଢ଼ିଙ୍କ ପାଖରେ ପ୍ଲାନ ବି’ ବା ବିକଳ୍ପ ସବୁବେଳେ ରହିଥାଏ। ଏଣୁ ଜୀବନ ବାଟରେ ସେମାନେ ଝୁଣ୍ଟିବାର ଡର କମ୍ ରହିଥାଏ। ସୁରୁଖୁରୁରେ ଜୀବନ ଜିଇଁବାର କଳା ଜାଣନ୍ତି ଆଜିକା ଯୁବବର୍ଗ।
ବଦଳୁଥିବା ଜୀବନ ଶୈଳୀ ସହ ଯୁବଗୋଷ୍ଠୀ ଏବେ ଆଗକୁ ବଢୁଥିବା ବେଳେ ଅନେକ ବ୍ୟତିକ୍ରମ ବି ଏବେ ପରିଲକ୍ଷିତ ହେଉଛି। ନିରନ୍ତର ଆଗକୁ ବଢ଼ିବାର ନିଶାରେ ଲୋକମାନେ ନିଜକୁ ଭୁଲିଯାଉଛନ୍ତି। କାମ ପଛରେ ଧାଇଁ ଧାଇଁ ବଞ୍ଚିବା ଭୁଲିଯାଉଛନ୍ତି। ଫଳସ୍ୱରୂପ କମୁଛି ଆୟୁଷ। ପୂର୍ବରୁ ସ୍ୱାଭାବିକ ମୃତ୍ୟୁର ବୟସ ୭୦ରୁ ଉପରକୁ ଥିଲା। ହେଲେ ଏବେ ତାହା କମି କମି ୬୦ ହେଲାଣି। ସ୍ୱାଭାବିକ ତୁଳନାରେ ଅସ୍ୱାଭାବିକ ମୃତ୍ୟୁହାର ଧୀରେ ଧୀରେ ବଢୁଛି। ଯାହା ବିଚଳିତ କରିବା ଆଶ୍ଚର୍ଯ୍ୟର ବିଷୟ ନୁହେଁ। ଖରାପ ଜୀବନ ଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟ, ବିଷାକ୍ତ ପରିବେଶ ଶୀଘ୍ର ମୃତ୍ୟୁର ଅନ୍ୟତମ କାରଣ। ଲାଇଫଷ୍ଟାଇଲ ଯେତେ ଲଗଜୁରି ହେଉଛି, ଲୋକ ସେତିକି ଅଳସୁଆ ହେଉଛନ୍ତି। ନିଜ ଛୋଟ ଛୋଟ କାମକୁ ବି ଏବେ ଆମେ ମେସିନ ସହାୟତାରେ କରୁଛେ। ଶରୀର ହଲାଇବାକୁ କେହିବି ପ୍ରସ୍ତୁତ ନୁହେଁ। ଫଳରେ ବଢୁଛି ରୋଗ ଆଉ କମୁଛି ଆୟୁଷ।
ତେବେ ବର୍ତ୍ତମାନ ସଜାଗ ହେବାର ସମୟ ଆସିଛି। କମ୍ ବୟସରୁ ଅର୍ଥ ରୋଜଗାର କରିବା ଭଲ କଥା। ରାଜ୍ୟ ତଥା ଦେଶ ଅର୍ଥନୀତି ପାଇଁ ବି ଏହା ଏକ ଭଲ ସଂକେତ। କିନ୍ତୁ ନିଜକୁ ବି ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ସ୍ୱାସ୍ଥ୍ୟ ହେଉଛି ମଣିଷର ପ୍ରକୃତ ଓ ଶ୍ରେଷ୍ଠ ସମ୍ପଦ। ଅର୍ଥ ପଛରେ ଗୋଡ଼ାଇ ସ୍ୱାସ୍ଥ୍ୟକୁ ଅଣଦେଖା କରିବା ଆଦୌ ଉଚିତ ନୁହେଁ। ଏଣୁ ସମୟ ଥାଉ ଥାଉ ମଣିଷ ବୁଝିବା ଦରକାର ଯେ ପ୍ରଥମେ ଶରୀର। ଦେହ ମନ ସୁସ୍ଥ ରହିଲେ ହିଁ ଜଣେ ସୁସ୍ଥ ସମାଜ ଗଢ଼ିବାରେ ମନ ନିବେଶ କରିପାରିବ। ନଚେତ ସେ ଦିନ ଆଉ ଦୂର ନୁହେଁ, ଯେବେ ମଣିଷ ପାଖରେ ସବୁ ସୁଖସ୍ୱାଚ୍ଛନ୍ଦ୍ୟ ଥିବ; କିନ୍ତୁ ଜୀବନ ଉପଭୋଗ କରିବାକୁ ଆୟୁଷ ନଥିବ।



ସାମ୍ପ୍ରତିକ ସମାଜର ଯୁବ ବର୍ଗଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସଂପାଦକୀୟ ଆଲେଖ୍ୟଟି ନିଶ୍ଚୟ ସ୍ବାଗତଯୋଗ୍ୟ। ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ଓ ପରିବର୍ତ୍ତନର ହାର ମାନବ ସଭ୍ୟତା ଉପରେ ଗଭୀର ପ୍ରଭାବ ପକାଇବା କଥା ଅନସ୍ବୀକାର୍ଯ୍ୟ । ଗୋଟେ ଦିଗରେ ଆମେ ଅର୍ଥନୈତିକ ଅଭିବୃଦ୍ଧି ହାସଲର ଉତ୍ସବ ମନାଉଛନ୍ତି , ଅନ୍ୟ ଦିଗରେ ଆମେ ଏକ ଗୁଣାତ୍ମକ ଜୀବନ ବଞ୍ଚିବାଠାରୁ ଦୂରକୁ ଚାଲି ଯାଉଛନ୍ତି । ସୁତରାଂ, ଜେନ୍ ଜୀ (Zen Z)ନିମନ୍ତେ ଏକ ସନ୍ତୁଳିତ ଜୀବନଶୈଳୀକୁ ଆପଣେଇବାକୁ ହେବ ଅନ୍ୟଥା ବିକାଶ ନାଆଁରେ ଆମେ କେବଳ ସାମଗ୍ରୀ ବିକାଶରେ ସୀମିତ ରହିଯିବା, ସାମଗ୍ରିକ ବିକାଶ ଠାରୁ ବହୁ ଦୂରକୁ ଚାଲିଯିବା ।