ନୂଆ ରୂପ ପାଇବ ବାଜି ରାଉତ ଛାତ୍ରାବାସ, ଅଣ୍ଟା ଭିଡ଼ିଲେ ଜିଲ୍ଲାପାଳ

You are currently viewing ନୂଆ ରୂପ ପାଇବ ବାଜି ରାଉତ ଛାତ୍ରାବାସ, ଅଣ୍ଟା ଭିଡ଼ିଲେ ଜିଲ୍ଲାପାଳ

ଅନୁଗୁଳ: ବାଜି ରାଉତ ଛାତ୍ରାବାସର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛନ୍ତି ଜିଲ୍ଲାପାଳ ଏମ୍‌ ଅବଦାଲ ଅଖତାର। ଗୁରୁବାର ଜିଲ୍ଲାପାଳଙ୍କ ନେତୃତ୍ଵରେ ଏକ ପ୍ରତିନିଧିମଣ୍ଡଳ ଛାତ୍ରାବାସ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ଛାତ୍ରାବାସର ସମସ୍ତ ସ୍ଥାନ ପରିଦର୍ଶନ କରିବା ସହ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରି ତୁରନ୍ତ ପ୍ରଦାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କନ୍ୟାଶ୍ରମର ଠକ୍କର ନିବାସର ଭଗ୍ନ ଅଂଶ, କୁନ୍ତଳାକୁମାରୀ ଭବନ ଓ ଉତ୍ତରା ଭବନକୁ ଭାଙ୍ଗି ନୂତନ ଭାବରେ ନିର୍ମାଣ କରିବାକୁ ସ୍ଥିର ହୋଇଛି। ଏଠାରେ ଶହେ ଜଣ ଝିଅ ରହିବାର ବ୍ୟବସ୍ଥା କରାଯିବ।

ସେହିଭଳି ହନୁମାନ ଭବନ ସ୍ଥାନରେ ନୂତନ ଦ୍ଵିତଳ ପ୍ରାସାଦ ପୁଅମାନଙ୍କ ନିମନ୍ତେ ନିର୍ମାଣ ହେବା ସ୍ଥିର ହେଲା। ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀ ରହୁଥିବା ନବମାଳତୀ କୁଟୀରର ମରାମତି କରାଯିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଏହି କୁଟୀର ନିକଟରେ ଏକ ମ୍ୟୁଜିୟମ ନିର୍ମାଣ କରାଯିବା ନିଷ୍ପତ୍ତି ହୋଇଥିଲା, ଯେଉଁଥିରେ ମାଳତୀ ଦେବୀ କାର୍ଯ୍ୟ କରିଥିବା ରାଜ୍ୟର ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ବିଭିନ୍ନ ଜିନିଷ ପ୍ରଦର୍ଶିତ କରାଯିବ। ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା କର୍ମୀ ନିବାସ ଓ କୁମାରସ୍ଵାମୀ ଭବନ ନୂତନ ଭାବରେ ନିର୍ମାଣ କରାଯିବ। ଏଥିସହ ନବକୃଷ୍ଣ ଚୌଧୁରୀ ଶିଶୁ ଉଦ୍ୟାନର ନବୀକରଣ କରାଯିବା ସହ ଏହା ଭିତରେ ରହିଥିବା ପାଠାଗାରକୁ ଅତ୍ୟାଧୁନିକ ଢଙ୍ଗରେ ନିର୍ମାଣ କରିବା ନିଷ୍ପତ୍ତି ନେଲେ। ଜିଲ୍ଲାପାଳ ଛାତ୍ରାବାସର ଚତୁର୍ଦିଗରେ ପାଚେରୀ ନିର୍ମାଣ ନିମନ୍ତେ ନିର୍ଦ୍ଦେଶ ଦେବା ସହିତ ଶାନ୍ତି ମନ୍ଦିରର ମରାମତି ତଥା ନୂତନ ଅତିଥିଭବନ ପାଇଁ ଯୋଜନା କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ବଗିଚା ପଟକୁ ଗୋଶାଳା ଉଠାଇନେବା ସହ ପରିସର ମଧ୍ୟରେ ଚାଲୁଥିବା ଏହି ଛାତ୍ରାବାସ ପରିସରରେ ଏକ ଉଦ୍ୟାନ ନିର୍ମାଣ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ କାର୍ଯ୍ୟ ଛାତ୍ରାବାସର ମୁଖ୍ୟ ପରାମର୍ଶଦାତ୍ରୀ କୃଷ୍ଣା ମହାନ୍ତିଙ୍କ ପରାମର୍ଶ ଅନୁସାରେ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ।

ଏହି ଗସ୍ତ ବେଳେ ଜିଲ୍ଲାପାଳଙ୍କ ସହ ସ୍ଥପତି ନାରାୟଣ ତ୍ରିପାଠୀ, ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ସତ୍ୟଜିତ ତ୍ରିପାଠୀ, ପୂର୍ତ୍ତ ବିଭାଗର ସୁପରିଟେଣ୍ଡିଂ ଇଞ୍ଜିନିୟର ପ୍ରତାପ କୁମାର ହରିପାଲ, ଜିଲ୍ଲା ମଙ୍ଗଳ ଅଧିକାରୀ ଦିଲ୍ଲୀପ କୁମାର ମିଶ୍ର, ଛାତ୍ରାବାସ ସମ୍ପାଦକ ଇଂ ଧନେଶ୍ଵର ସାହୁ, ବରିଷ୍ଠ ସଦସ୍ୟ ଡାକ୍ତର ବିଶ୍ଵଜିତ, ଆଦ୍ୟଶ୍ଳୋକ ମିଶ୍ର, ସୂର୍ଯ୍ୟ ନାରାୟଣ ନାଥ, ପରିଚାଳକ କୈଳାସ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply