ଅନୁଗୁଳ: ବାଉଁଶ ହାତୀ ପାଇଁ ଉତ୍କୃଷ୍ଟ ଖାଦ୍ୟ। ଏଥିରେ ମିନେରାଲ୍ସ୍
ଓ ଫାଇବର ଅଧିକ ଥାଏ। କିନ୍ତୁ ଏବେ ବାଉଁଶ ଚୋରୀ ବଢ଼ିବାରେ ଲାଗିଛି। ଅନୁଭବି ପରିବେଶ କର୍ମୀ ସୁବ୍ରତ କୁମାର ପ୍ରଧାନ କହନ୍ତି ବର୍ଷକୁ ଗୋଟିଏ ସେକ୍ସନରୁ ପ୍ରାୟ ୨୬ ହଜାର ବାଉଁଶ ଚୋରି ହେଉଛି।ସାଇକଲ,ଶଗଡ଼ରେ ଏହି ବାଉଁଶ ଚୋରା ଚାଲାଣ ହେଉଛି।
ଗୋଟିଏ ଫରେଷ୍ଟ ଡିଭିଜନରେ କୋଡିଏରୁ ତିରିଶ ସେକ୍ସନ ରହିଛି।ତେବେ ବର୍ଷକୁ କେତେ ବାଉଁଶ କଟାଯାଉଛି ତାହା ଅନୁମାନ କରାଯାଇପାରେ।ବାଉଁଶ ବୁଦା ତିନି ଚାରି ବର୍ଷରେ କଟାଯାଏ। କଟା ନଗଲେ ଏହାର ବୃଦ୍ଧି ହୁଏ ନାହିଁ।ତେବେ କଟା ଯିବାର ଅନେକ ନିୟମ ରହିଛି। କିଛି ବର୍ଷ ତଳେ ଅଧିକାଂଶ ବାଉଁଶ ପେପର ମିଲକୁ ଯାଉଥିଲା।କିନ୍ତୁ ସରକାରୀ ଦର ସେମାନଙ୍କୁ ନ ସୁହାଇବାରୁ ବାଉଁଶର ଚାହିଦା ସେମାନଙ୍କ ପାଇଁ କମିଛି। କିନ୍ତୁ ଏବେ ଗାଁ ଗଣ୍ଡାରେ ଯେଭଳି ଟେଣ୍ଟ୍ ହାଉସ ବଢ଼ି ଚାଲିଛି ସେଥିପାଇଁ ବାଉଁଶ ଚୋରୀ ବଢ଼ିବାରେ ଲାଗିଛି।
ଆମ ଜିଲ୍ଲାରେ ୪୦୦ ରୁ ଅଧିକ ବନ ସୁରକ୍ଷା ସମିତି ଅଛି। ସେମାନଙ୍କ ଅଧୀନରେ ଥିବା ଜଙ୍ଗଲରୁ ବାଉଁଶ
ଚୋରି ସମ୍ଭବ ହେଉନାହିଁ। ଅନ୍ୟ ପକ୍ଷରେ ଘଞ୍ଚ ଜଙ୍ଗଲରୁ ଲୋକେ ବ୍ୟକ୍ତି ଗତ ବ୍ୟବହାରର ଦ୍ୱାହି ଦେଇ ବାଉଁଶ ଚୋରୀ କରୁଛନ୍ତି।
କିଛି ଅସାଧୁ ବନ କର୍ମଚାରୀଙ୍କ ପାଇଁ ଏସବୁ ଘଟୁଛି। ଏଠାରେ ସୂଚନା ଯୋଗ୍ୟ ଯେ, ଦେଶର ପ୍ରାୟ ୯ ପ୍ରତିଶତ ବାଉଁଶ ଓଡ଼ିଶାରେ ରହିଛି। ରାଜ୍ୟରେ ୧୭,୭୯୫ ବର୍ଗ କିମି ମିଶ୍ରିତ ବାଉଁଶ ଜଙ୍ଗଲ ଥିବା ବେଳେ ୩୭୪ ବର୍ଗ କିମି ଶୁଦ୍ଧ ବାଉଁଶ ଜଙ୍ଗଲ ରହିଛି। ୧୩ ପ୍ରଜାତିର ବାଉଁଶ ରାଜ୍ୟରେ ଦେଖିବାକୁ ମିଳୁଥିବା ବେଳେ ଓଏଫଡିସି ବାଉଁଶ ପରିଚାଳନା ତଥା କାରବାର କଥା ବୁଝୁଛି। ଜଙ୍ଗଲ ବିଭାଗ ବାଉଁଶ ଚୋରୀ କୁ ରୋକିଲେ ଜଙ୍ଗଲରେ ହାତୀଙ୍କ ପାଇଁ ଖାଦ୍ୟ ଅଭାବ ରହନ୍ତା ନାହିଁ।ଫଳରେ ହାତୀଙ୍କୁ ଆଉ ସହର ମୁହାଁ ହେବାକୁ ପଡନ୍ତା ନାହିଁ।