ଅନୁଗୁଳରେ ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ

You are currently viewing ଅନୁଗୁଳରେ ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ

ଅନୁଗୁଳ: ଓଡ଼ିଆ ପକ୍ଷର ଦ୍ୱାଦଶ ଦିବସରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲା ପାଠାଗାର ଠାରେ ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ମୁଖ୍ୟ ଅତିଥି ରୂପେ ସମାରୋହକୁ ଉଦ୍ଘାଟନ କରି ରାଜ୍ୟ ସରକାରଙ୍କ ଓଡ଼ିଆ ପକ୍ଷ ପାଳନର ମହନୀୟତା ବର୍ଣ୍ଣନା କରିଥିଲେ। ଅନୁଗୁଳର ବରପୁତ୍ର ନବକୃଷ୍ଣ ଚୌଧୁରୀ,ମାଳତୀ ଦେବୀ,ପବିତ୍ର ମୋହନ ପ୍ରଧାନ,ନୃସିଂହ ରାୟଗୁରୁ ଆଦିଙ୍କ କୃତି ଓ କୀର୍ତ୍ତି ସମ୍ପର୍କରେ ସେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି ରୂପେ ଅଧ୍ୟାପିକା ଡ଼ା ରମା ମଞ୍ଜରୀ ସାହୁ,ଡ଼ା ଇନ୍ଦିରା ଦାଶ ଓ ଶିକ୍ଷାବିତ୍ ଡ଼ା ଧରଣୀଧର ନାଥ ଯଥାକ୍ରମେ ମା ରମାଦେବୀ,ମାଳତୀ ଦେବୀ ଓ ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ତ୍ୟାଗ, ତିତିକ୍ଷା ଓ ଜୀବନବ୍ୟାପୀ ସାଧନା ଉପରେ ଅବତାରଣା କରିଥିଲେ।

ଅନ୍ୟତମ ଅତିଥି ଜିଲ୍ଲା ସଂସ୍କୃତି ଅଧିକାରୀ ଡ଼ା ଦୁଃଶାସନ ନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ସଭାରେ ସଭାପତିତ୍ୱ କରୁଥିବା ଅନୁଗୋଳ ସାହିତ୍ୟ ସଂସଦର ଉପ ସଭାପତି ଶାନ୍ତନୁ କୁମାର ସର ଏକ ସମୃଦ୍ଧ ସମାଜ ଗଠନରେ ବରପୁତ୍ର ମାନଙ୍କ ଜୀବନୀ କିଭଳି ଆମକୁ ଦିଗଦର୍ଶନ ଦେଇଥାଏ ତାହା ଉଲ୍ଲେଖ କରିଥିଲେ।

ଶେଷରେ ସାହିତ୍ୟ ସଂସଦର ସମ୍ପାଦକ ରାଧାକାନ୍ତ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ। ସଭା ଆରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ବେଳେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଆଶା ଭୋସଲେଙ୍କ ପରଲୋକରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟି ଓ ଲତିକା ମହାପାତ୍ରଙ୍କ ସଂଯୋଜନାରେ ସଂକ୍ଷିପ୍ତ ଆଲୋଚନା ଓ କବିତା ଆସର ଆୟୋଜିତ ହୋଇଥିଲା।ବହୁ କବି ଓ ଆଲୋଚକ ଉତ୍କଳ ମଣି ଗୋପବନ୍ଧୁ,ଉତ୍କଳ ଗୌରବ ମଧୁସୂଦନ,ଫକୀର ମୋହନ, କବି ରାଧାମୋହନ ଗଡ଼ନାୟକ, ନବକୃଷ୍ଣ ଚୌଧୁରୀ,ମାଳତୀ ଦେବୀ,ସହିଦ ବାଜି ରାଉତ,କାର୍ଗିଲ ସହିଦ ମାନସ ରଞ୍ଜନ ସାହୁ ଆଦିଙ୍କ ଉପରେ ବକ୍ତବ୍ୟ ବା କବିତା ପାଠ କରିଥିଲେ।

Share

Leave a Reply