ଅନୁଗୁଳ: ପରିବାରର ବିନା ସ୍ୱୀକୃତିରେ ପ୍ରେମ ବିବାହ କଲେ ବୋଲି ପର କରିଦେଲା ପରିବାର । ଏମିତି ପର କରିଦେଲେ ଯେ, ମଲା ପରେ ବି ହୃଦୟ ତରଳିଲାନି, ମଲା ମଣିଷକୁ ସମ୍ମାନ ଟିକିଏ ଦେଲେନି। ଶବକୁ ଚାରି କାନ୍ଧ ଦେଇ ମଶାଣିକୁ ନେବାକୁ ପଛଘୁଞ୍ଚା ଦେଲେ ପରିବାର ଲୋକ । ଘଣ୍ଟେ କି ଦୁଇ ଘଣ୍ଟା ନୁହଁ, ୬ ଘଣ୍ଟା କାଳ ଗାଁ ଦାଣ୍ଡରେ ପଡ଼ିରହିଲା ମୃତଦେହ । ବନ୍ତଳା ଥାନା ଇଲାକା ନନ୍ଦପୁର ଗ୍ରାମ ପଞ୍ଚାୟତର ବରହ୍ମପୁର ଗ୍ରାମରେ ସୋମବାର ଘଟିଥିବା ଏହି ଅଭାବନୀୟ ଘଟଣା ଆଲୋଡନ ସୃଷ୍ଟି କରିଛି। ତେବେ ମୃତକଙ୍କ ପତ୍ନୀ ଥାନାର ଦ୍ଵାରସ୍ଥ ହେବା ସହ ନିରୁପାୟ ହୋଇ ଶେଷରେ ସନ୍ଧ୍ୟାରେ ଅନୁଗୁଳ ସହର କରଡ଼ାଗାଡ଼ିଆ ଶ୍ମଶାନରେ ଶବ ସତ୍କାର କରିଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ମୁତାବକ, ବନ୍ତଳା ଥାନା ଇଲାକା ବରହ୍ମପୁର ଗ୍ରାମର ଜଣେ ଯୁବକ ପ୍ରାୟ ୭ ବର୍ଷ ତଳେ ନିଜ ଦାଦା ଝିଅକୁ ପ୍ରେମ ବିବାହ କରିଥିଲେ। ଏହି ପ୍ରେମ ବିବାହକୁ ନେଇ ଗାଁରେ ସେତେବେଳେ ବୈଠକ ବସିଥିଲା। ସେପଟେ ଉଭୟ ନବ ବିବାହିତ ଗାଁ ଛାଡ଼ି ବାହାର ରାଜ୍ୟକୁ ପଳାଇଥିବା ବେଳେ କିଛି ଦିନ ହେଲା ଗାଁ’କୁ ଫେରିଥିଲେ। ପରିବାର ଲୋକ ଉଭୟଙ୍କୁ ଗ୍ରହଣ କରିନଥିଲେ। ଫଳରେ ସେମାନେ ଗାଁରେ ଅନ୍ୟ ଏକ ସ୍ଥାନରେ ରହୁଥିଲେ। ଉଭୟ ପତି-ପତ୍ନୀ ସୋମବାର ଅନୁଗୁଳ ସହରର ଏକ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସିଥିଲେ। ସେଠାରେ ଯୁବକ ହଠାତ୍ ଅଚେତ ହୋଇଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପାଖରେ ଥିବା ଏକ ଘରୋଇ ହସ୍ପିଟାଲ୍କୁ ନିଆଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ମୃତ ଯୁବକଙ୍କ ପତ୍ନୀ ଏକ ଆମ୍ବୁଲାନ୍ସରେ ସ୍ଵାମୀଙ୍କ ମୃତଦେହ ଧରି ଗାଁରେ ପହଞ୍ଚିଥିଲେ। ମାତ୍ର ଗାଁ’ର ଆକଟ ଯୋଗୁ ଉଭୟଙ୍କ ପରିବାର ଲୋକ ଧରାଛୁଆଁ ଦେଇନଥିଲେ। ସ୍ୱାମୀକୁ ହରାଇ ମହିଳା ଜଣ କାନ୍ଦୁଥିବା ବେଳେ ଆହା ବୋଲି କେହି କହିନଥିଲେ। ଅପରାହ୍ନ ପ୍ରାୟ ୨ଟାରୁ ମୃତଦେହ ପଡ଼ି ରହିଥିଲା। ଶେଷରେ ମହିଳା ନିଜ ସ୍ଵାମୀଙ୍କ ମୃତଦେହକୁ ଆମ୍ବୁଲାନ୍ସରେ ଧରି ବନ୍ତଳା ଥାନାରେ ପହଞ୍ଚିଥିଲେ । ସେଠାରେ କିଛି ସ୍ଵେଚ୍ଛାସେବୀଙ୍କ ସହଯୋଗ କ୍ରମେ ମହିଳା ତାଙ୍କ ଅନ୍ୟ ସମ୍ପର୍କୀୟଙ୍କୁ ଯୋଗାଯୋଗ କରିଥିଲେ। କିଛି ଦୂର ସମ୍ପର୍କୀୟ ପହଞ୍ଚିବା ପରେ ମହିଳା ସ୍ଵାମୀଙ୍କ ମୃତଦେହକୁ କରଡ଼ାଗାଡ଼ିଆ ସ୍ଥିତ ଶ୍ମଶାନକୁ ଆଣି ଶେଷକୃତ୍ୟ କରିଥିବା ଜଣାପଡ଼ିଛି।
ପ୍ରେମ ବିବାହ ଯୋଗୁଁ ଶବକୁ ମିଳିଲାନି ସମ୍ମାନ
- Post published:April 20, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
