ଅନୁଗୁଳ: ଡିଷ୍ଟ୍ରିକ୍ଟ ଅରବାନ ଡେଭେଲପମେଣ୍ଟ ଏଜେନ୍ସିର ଗତ ଜୁଲାଇ ମାସରେ ଏକ ସମ୍ମିଳିତ ବୈଠକ ଆୟୋଜିତ ହୋଇଯାଇଛି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅନୁଗୁଳ ଜିଲ୍ଲାର ବିଭିନ୍ନ ଅର୍ବାନ ଲୋକାଲ ବଡି, ଜଳସେଚନ, ଆର ଆଣ୍ଡ ବି ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଏହି ବୈଠକରେ ଅନୁଗୁଳର ଉନ୍ନତି ପାଇଁ କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆ ଯାଇଥିଲା। ପ୍ରଥମ ନିଷ୍ପତ୍ତି ଅନୁସାରେ କୁମଣ୍ଡ ହାଇସ୍କୁଲ ଠାରୁ କେନାଲ ରାସ୍ତା ଦେଇ ଡେର୍ଜାଙ୍ଗ ସାହି, ଶାକସିଂହା, ସୁଲେଇମାଳ, କୁରୁଡୋଲ, କାଣ୍ଡଶର ଦେଇ ନାଲକୋ ଯାଏ ରାସ୍ତା ବାହାର କରାଯିବ। ସେହିଭଳି କୁମଣ୍ଡ ରୁ କେନାଲ ରାସ୍ତା ଦେଇ ଜରାଶିଂହା, ମଝିକା, ବେଣାଗାଡିଆ, ଡେରଜାଙ୍ଗ ପ୍ରକଳ୍ପ, ହରିବେରଣୀ, ରନ୍ତଲେଇ,ପଞ୍ଚମହଲା ପର୍ଯ୍ୟନ୍ତ ରାସ୍ତା ବାହାର କରାଯିବ। ଅନୁଗୁଳ ଟାଉନ ଉଚ୍ଚ ବିଦ୍ୟାଳୟ ଠାରୁ ଅନୁଗୁଳ ରେଳ ଷ୍ଟେସନ ଯାଏଁ ପ୍ରାୟ ଅଢେଇ କିମି କେନାଲ ରାସ୍ତାର ପୁନରୁଦ୍ଧାର କରାଯିବ।
ସେହିଭଳି ଭଣ୍ଡୁବର ଛକ ଠାରୁ କେନାଲ ରାସ୍ତାରେ ଅମଲାପଡ଼ା ଦେଇ ନୂଆ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତା ବାହାର କରାଯିବ। ଭଣ୍ଡୁବର କେନାଲ ବ୍ରିଜ ଠାରୁ ଅନୁଗୁଳ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ଯାଏଁ କେନାଲ ଦୁଇ ପାଖରେ ରାସ୍ତା ବାହାର କରାଯିବ। ଦେଖିବାକୁ ମିଳିଛି ଅନୁଗୁଳର କେନାଲ ରାସ୍ତା ସବୁକୁ କିଛି ଲୋକ ଜବରଦଖଲ କରି ଘର କରି ରହିଥିବା ବେଳେ ଆଉ କିଛି ଲୋକ ଭଡ଼ାରେ ଦେଇଛନ୍ତି ମ୍ୟୁନିସପାଲିଟି, ଜଳସେଚନ ଏବଂ ଆର ଆଣ୍ଡ ବି ବିଭାଗର ମିଳିତ ଉଦ୍ୟମରେ ଜବରଦଖଲ ହୋଇଥିବା ରାସ୍ତାରୁ ଉଚ୍ଛେଦ ଆରମ୍ଭ କରାଯିବ।
ଏହି ସବୁ ବାଇ ପାସ ରାସ୍ତା ଦ୍ଵାରା ଅନୁଗୁଳ ସହର ଭିତରେ ଟ୍ରାଫିକ ଜାମ ନିଶ୍ଚିତ ଭାବେ କମିବ। ଡିଏମଏଫ୍ ପାଣ୍ଠି ସହଯୋଗରେ ଏହି ସବୁ ରାସ୍ତା ନିର୍ମାଣ କରାଯିବ।ଏଥିପାଇଁ କେତେ ଯାଗା ଜବର ଦଖଲ ହୋଇଛି ଏବଂ କେତେ ଲୋକ ଜବରଦଖଲ କରିଛନ୍ତି ତାହାର ଡ୍ରୋନ ସର୍ଭେ କରାଯିବା ସହ ଗୁପ୍ତ ତାଲିକା ପ୍ରସ୍ତୁତି ଚାଲିଛି। ଅନୁଗୁଳର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଠିକଣା ସମୟରେ ଠିକଣା ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି ପୌର ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ। ଏବେ ଦେଖିବାକୁ ବାକି ରହିଲା ଅପରେସନ କ୍ଲିନ୍ ଆରମ୍ଭ ହେବ କେବେ।