ଅନୁଗୁଳ : ଅନୁଗୁଳ ସଦର ମହକୁମା ସ୍ଥିତ ପୌରପାଳିକା ଟାଉନରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବୈଠକରେ ବିଜେପି ଓ କଂଗ୍ରେସ ଦଳ ପରିତ୍ୟାଗ କରି ଶତାଧିକ ଯୁବକ ଓ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ ଓ ବିକାଶ ଧାରା ଏବଂ ବିଧାୟକ ରଜନୀକାନ୍ତ ସିଂହଙ୍କ ସ୍ୱଚ୍ଛ, ନିର୍ମଳ କାର୍ଯ୍ୟ ଶୈଳୀରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଛନ୍ତି।
ବଅଁରପାଳ ବ୍ଲକ ଗୋତମରା ପଞ୍ଚାୟତର ଯୁବ ନେତା ସଂଜୀବ ଭୂତିଆ ଓ ଅମିତ ବିଶ୍ୱାଳଙ୍କ ନେତୃତ୍ୱରେ ପାଞ୍ଚଗଡ଼ ଅଞ୍ଚଳର ଶତାଧିକ ଯୁବକ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। ଏଥି ସହ ଅନୁଗୁଳ ବ୍ଲକ ଈଙ୍କରବନ୍ଧ ପଞ୍ଚାୟତ ୧୦ନଂ ୱାର୍ଡରେ ନିରଦ୍ଵନ୍ଦ୍ୱରେ ବିଜୟୀ ୱାର୍ଡ ମେମ୍ବର ଚନ୍ଦ୍ରକାନ୍ତ ଦାସଙ୍କ ସମେତ କଂଗ୍ରେସ ଓ ବିଜେପି ଦଳ ପରିତ୍ୟାଗ କରି ବହୁ କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।
କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ କୁନାବିହାରୀ ଦାସ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ନଗରପାଳ ଅକ୍ଷୟ କୁମାର ସାମନ୍ତ, ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ଅରୁଣାଭ ସିଂହ, ସିପିପି ଠିକା ମଜଦୂର ସଂଘ ସଭାପତି ବାବୁଲି ସେଠୀ, ଅଜିତ ଦ୍ବିବେଦୀ, ସୁଜିତ ଦ୍ବିବେଦୀ, ବିଶ୍ୱରଂଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।